କ୍ୟାସ୍ ଟ୍ରାପିଂ ଡିଭାଇସ୍, ନଗଦ ୧୮ ହଜାର ଟଙ୍କା ଓ ମୋଟରସାଇକେଲ୍ ସମେତ ବିଭିନ୍ନ ସାମଗ୍ରୀ ଜବତ
କଟକ, (ଓଡ଼ିଶ୍ରୀ ସମ୍ବାଦ): କଟକର ବାଦାମବାଡ଼ି ଥାନା ଅଞ୍ଚଳରେ ଏକ ଏଟିଏମ୍ ଲୁଟ୍ ଉଦ୍ୟମକୁ ପଣ୍ଡ କରିଛି କମିଶନରେଟ୍ ପୁଲିସ। ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଏଟିଏମ୍ ମେସିନ୍ ଭାଙ୍ଗି ଟଙ୍କା ଚୋରି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ବିହାରର ଜଣେ ୩୪ ବର୍ଷୀୟ ଯୁବକଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ନିକଟରୁ ନଗଦ ୧୮ ହଜାର ଟଙ୍କା ସମେତ ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ନଭେମ୍ବର ୪ ତାରିଖ ରାତି ପ୍ରାୟ ୧୧ଟା ୨୦ ମିନିଟ୍ରେ ବାଦାମବାଡ଼ିସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ରେ ଚୋରି ଉଦ୍ୟମ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଖବର ପାଇ ବାଦାମବାଡ଼ି ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିଥିଲା। ଏହି ଘଟଣାରେ ଏଟିଏମ୍ ମେସିନ୍ର ତଳ ଭାଗ କ୍ଷତିଗ୍ରସ୍ତ ହୋଇଥିବା ପୁଲିସ କହିଛି।
ସିଏମ୍ଏସ୍ ଇନ୍ଫୋ ସିଷ୍ଟମ୍ସ ପ୍ରାଇଭେଟ୍ ଲିମିଟେଡ୍ର ପ୍ରୋଜେକ୍ଟ ମ୍ୟାନେଜରଙ୍କ ଲିଖିତ ଅଭିଯୋଗ ଆଧାରରେ ବାଦାମବାଡ଼ି ଥାନାରେ କେସ୍ ନମ୍ବର ୫୪୯/୨୦୨୬ରେ ବିଏନ୍ଏସ୍ର ଧାରା ୩୦୫(ଅ), ୩୨୪(୪) ଓ ୬୨ ଅନୁଯାୟୀ ମାମଲା ରୁଜୁ ହୋଇଛି।
ଗିରଫ ଅଭିଯୁକ୍ତଙ୍କ ନାମ ଅଶ୍ୱନୀ କୁମାର (୩୪)। ସେ ବିହାରର ଭୋଜପୁର ଜିଲ୍ଲା ଅନ୍ତର୍ଗତ ପିରୋ ଥାନା ଅଞ୍ଚଳର ରାଜାପୁର ଗ୍ରାମର ବାସିନ୍ଦା। ତାଙ୍କ ପିତାଙ୍କ ନାମ ବାୟଜୀ ସିଂ ବୋଲି ପୁଲିସ ସୂଚନା ଦେଇଛି।
ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ସନ୍ଦିଗ୍ଧ ଏଟିଏମ୍ କ୍ୟାସ୍ ଟ୍ରାପିଂ ଡିଭାଇସ୍, ଲାଲ୍ ପ୍ଲାଷ୍ଟିକ୍ ହ୍ୟାଣ୍ଡେଲ୍ ଥିବା ଏକ ପ୍ଲାୟର, ଡବଲ୍ ସାଇଡ୍ ଆଡ୍ହେସିଭ୍ ଫୋମ୍ ଟେପ୍ର ଏକ ରୋଲ୍, ଏକ ହେଲମେଟ୍, ଟିଭିଏସ୍ ଭିକ୍ଟର ମୋଟରସାଇକେଲ୍, ନଗଦ ୧୮ ହଜାର ଟଙ୍କା, ରାମକୃଷ୍ଣ ମହାପାତ୍ରଙ୍କ ନାମରେ ଥିବା ଏକ ଏସ୍ବିଆଇ ଏଟିଏମ୍ କାର୍ଡ ଓ ଏକ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ କରିଛି।
ନଭେମ୍ବର ୫ ତାରିଖରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ତାଙ୍କର ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ କରିବା ସହ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
