ଫୁଲବାଣୀ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ପେନସନ୍ଭୋଗୀଙ୍କ ବିଭିନ୍ନ ସମସ୍ୟାର ଶୁଣାଣି ଏବଂ ସମାଧାନ ନିମନ୍ତେ ଆସନ୍ତା ନଭେମ୍ବର ୫ ତାରିଖ ଗୁରୁବାର ଦିନ ଫୁଲବାଣୀରେ ଜିଲ୍ଲାସ୍ତରୀୟ ପେନସନ୍ ଅଦାଲତ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ପଞ୍ଚାୟତ ଭବନସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ହେବ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଓଡ଼ିଶା ସରକାର, ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ, ଓଡ଼ିଶା ଏବଂ ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟ ପକ୍ଷରୁ ମିଳିତ ଭାବେ ଏହି ପେନସନ୍ ଅଦାଲତ ଆୟୋଜନ କରାଯାଉଛି।
ଏହି ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପେନସନ୍ଭୋଗୀଙ୍କ ଦୀର୍ଘଦିନ ଧରି ପଡ଼ିରହିଥିବା ଅଭିଯୋଗଗୁଡ଼ିକର ସିଧାସଳଖ ଶୁଣାଣି କରି ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବା। ପେନସନ୍ ମଞ୍ଜୁରୀ ଓ ପ୍ରଦାନରେ ବିଳମ୍ବ, ଅବସରକାଳୀନ ପ୍ରାପ୍ୟ, ଗ୍ରାଚ୍ୟୁଇଟି, ପରିବାର ପେନସନ୍ ଏବଂ ଅନ୍ୟାନ୍ୟ ଆର୍ଥିକ ସୁବିଧା ସମ୍ବନ୍ଧୀୟ ସମସ୍ୟା ଏଠାରେ ଉପସ୍ଥାପନ କରିପାରିବେ ପେନସନ୍ଭୋଗୀ।
ଏଥିରେ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ସ୍ୱତନ୍ତ୍ର ଅଧିକାରୀ ଦଳ ଉପସ୍ଥିତ ରହି ପେନସନ୍ଭୋଗୀଙ୍କ ଅଭିଯୋଗର ସମୀକ୍ଷା କରିବେ। ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ନିଆଯିବ। କାର୍ଯ୍ୟକ୍ରମରେ G.A. ଓ Public Grievances ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଯୁଗ୍ମ ସଚିବ ଅସିତ କୁମାର ପାଣି ଏବଂ ଉପ ମହାଲେଖାକାର (Deputy Accountant General) କେ. କିବାଗେଶ୍ୱର ରାଓଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବେ।
ପେନସନ୍ଭୋଗୀମାନେ ନିଜର ଅଭିଯୋଗ ସମ୍ବନ୍ଧୀୟ ଆବଶ୍ୟକ କାଗଜପତ୍ର, ପେନସନ୍ ପେମେଣ୍ଟ ଅର୍ଡର (PPO), ସେବା ବିବରଣୀ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଦସ୍ତାବିଜ ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଛି।
ଏହି ପେନସନ୍ ଅଦାଲତ ମାଧ୍ୟମରେ ଅବସରପ୍ରାପ୍ତ କର୍ମଚାରୀମାନେ ନିଜର ନ୍ୟାୟୋଚିତ ଦାବି ଉପସ୍ଥାପନ କରିବା ସହ ପେନସନ୍ ସମ୍ବନ୍ଧୀୟ ଦୀର୍ଘଦିନର ସମସ୍ୟାର ସମାଧାନ ପାଇବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି।
