• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କାହାର ପୂଷ ମାସ, ତ କାହାର ସର୍ବନାଶ! ଆସିକା ବନ୍ୟାରେ ସର୍ବସ୍ୱ ହରାଇଲେ ବ୍ୟବସାୟୀ

Byodishri Live

Nov 3, 2026

ବନ୍ୟା ପ୍ରଭାବିତ ସାମଗ୍ରୀ ଶାଗମାଛ ଦରରେ ବିକ୍ରି; ୫୦ ଟଙ୍କାରୁ ମିଳୁଛି ଲୁଗା, କିଣିବାକୁ ଗ୍ରାହକଙ୍କ ଭିଡ଼

ଆସିକା, (ଓଡ଼ିଶ୍ରୀ ସମ୍ବାଦ): ପ୍ରକୃତିର କରାଳ ରୂପ ଆଗରେ ହାର ମାନିଛି ଆସିକା ଅଞ୍ଚଳ। ବନ୍ୟା ଜଳ ଅନେକ ଦୋକାନ, ଗୋଦାମ ଓ ଘରେ ପଶିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ବ୍ୟବସାୟୀ ନିଜର ଦୀର୍ଘଦିନର ପରିଶ୍ରମ ଓ ସଞ୍ଚିତ ସମ୍ପତ୍ତି ହରାଇ ଏବେ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି।

ବନ୍ୟା ଜଳରେ ପ୍ରଭାବିତ ହୋଇଥିବା ସାମଗ୍ରୀକୁ ଆଉ ସାଧାରଣ ଦାମରେ ବିକ୍ରି କରିବା ସମ୍ଭବ ହେଉନାହିଁ। ତେଣୁ କିଛି କ୍ଷତି ଭରଣା କରିବା ଆଶାରେ ବ୍ୟବସାୟୀମାନେ ଅତି କମ୍ ଦାମରେ ସେଗୁଡ଼ିକୁ ବିକ୍ରି କରୁଛନ୍ତି। ଏହି ସାମଗ୍ରୀ କିଣିବା ପାଇଁ ଦୋକାନ ଆଗରେ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି।

ସୂଚନା ଅନୁଯାୟୀ, ୫୦୦ ଟଙ୍କାର ଲୁଗା ମାତ୍ର ୫୦ ଟଙ୍କାରେ ଏବଂ ୮୦୦ ଟଙ୍କାର ପ୍ୟାଣ୍ଟ ଓ ସାର୍ଟ ମାତ୍ର ୧୦୦ ଟଙ୍କାରେ ବିକ୍ରି କରାଯାଉଛି। ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଖୁବ୍ କମ୍ ଦାମରେ ମିଳୁଛି। କେହି ନିଜର ଆବଶ୍ୟକତା ପୂରଣ ପାଇଁ ତ ଆଉ କେହି କମ୍ ଦାମରେ ସାମଗ୍ରୀ କିଣିବା ଆଶାରେ ଦୋକାନ ଆଗରେ ଭିଡ଼ ଜମାଉଛନ୍ତି।

କିନ୍ତୁ ଏହି ଭିଡ଼ ପଛରେ ଲୁଚି ରହିଛି ପ୍ରଭାବିତ ବ୍ୟବସାୟୀଙ୍କ ଦୁଃଖ ଓ ଅସହାୟତା। ଯେଉଁ ସାମଗ୍ରୀ ଦିନେ ସେମାନଙ୍କ ଜୀବିକାର ମାଧ୍ୟମ ଥିଲା, ଆଜି ସେହି ସାମଗ୍ରୀକୁ ନାମମାତ୍ର ମୂଲ୍ୟରେ ବିକ୍ରି କରିବାକୁ ପଡ଼ୁଛି। ବନ୍ୟାରେ ଦୋକାନ ଓ ଗୋଦାମର କ୍ଷତି ଯୋଗୁଁ ଅନେକ ପରିବାରଙ୍କ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି।

ଏଭଳି ସ୍ଥିତିରେ ବନ୍ୟା କ୍ଷତିଗ୍ରସ୍ତ ବ୍ୟବସାୟୀ ଓ ପରିବାରଗୁଡ଼ିକୁ କିପରି ସହାୟତା ମିଳିବ, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଗୋଟିଏ ପଟେ କମ୍ ଦାମରେ ସାମଗ୍ରୀ ପାଇ ଗ୍ରାହକଙ୍କ ଭିଡ଼, ଅନ୍ୟପଟେ ନିଜର ବ୍ୟବସାୟ ଓ ସମ୍ପତ୍ତି ହରାଇଥିବା ବ୍ୟବସାୟୀଙ୍କ ନିରବ ଯନ୍ତ୍ରଣା—ଆସିକାର ଏହି ଦୃଶ୍ୟ ବନ୍ୟାର ଭୟାବହ ପ୍ରଭାବକୁ ସାମ୍ନାକୁ ଆଣିଛି।

Spread the love

Leave a Reply

Your email address will not be published. Required fields are marked *