ସତ୍ୟନିଷ୍ଠା ଓ ଦୁର୍ନୀତି ନିରାକରଣର ବାର୍ତ୍ତା ଦେଲେ କର୍ମଚାରୀ; ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିବନ୍ଧ ପ୍ରତିଯୋଗିତା
କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ଜିଲ୍ଲା ନରଣପୁରସ୍ଥିତ ପାୱାରଗ୍ରୀଡ୍ ପରିସରରେ ଭିଜିଲାନ୍ସ ସଚେତନତା ସପ୍ତାହ ଉତ୍ସାହର ସହ ପାଳିତ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ ଉପ ମହାପ୍ରବନ୍ଧକ ପର୍ଶୁରାମ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସତ୍ୟନିଷ୍ଠା, ସ୍ୱଚ୍ଛତା ଓ ଦୁର୍ନୀତି ନିରାକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ପାୱାରଗ୍ରୀଡ୍ର କର୍ମଚାରୀମାନେ ଏକ ସାମୂହିକ ପଦଯାତ୍ରାରେ ଅଂଶଗ୍ରହଣ କରି ସମାଜରେ ସତ୍ୟନିଷ୍ଠା, ସ୍ୱଚ୍ଛତା ଓ ଦୁର୍ନୀତି ବିରୋଧୀ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ।
ସେହିପରି ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ (ଏସ୍ଏସ୍ଡି)ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନିବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସତ୍ୟନିଷ୍ଠା ଓ ସ୍ୱଚ୍ଛତାର ମୂଲ୍ୟବୋଧକୁ ଜନସାଧାରଣଙ୍କ ମଧ୍ୟରେ ପ୍ରସାର କରିବା ସହ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟିର ବାର୍ତ୍ତା ଦିଆଯାଇଥିଲା।
