‘ମହାବାହୁ’, ‘ନୀରବ ଚିଠି’ ଓ ‘ଫେରିଆ ବୋଇତ ସପନ ନେଇ’ ନାଟକରେ ଦର୍ଶକ ବିଭୋର; ନଭେମ୍ବର ୫ ପର୍ଯ୍ୟନ୍ତ ଚାଲିବ ଉତ୍ସବ
କଟକ (ଓଡ଼ିଶ୍ରୀ ସମ୍ବାଦ): ମଞ୍ଚରେ ଅଭିନୟର ଯାଦୁ, ସଂଳାପରେ ଭାବନାର ସ୍ପର୍ଶ ଓ କାହାଣୀରେ ସମାଜର ବାସ୍ତବ ଚିତ୍ର। ଏଭଳି ନାଟ୍ୟମୟ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ‘କଟକ ନାଟ୍ୟୋତ୍ସବ–୨୦୨୬’ର ଚୂଡ଼ାନ୍ତ ପର୍ଯ୍ୟାୟ। ପ୍ରଥମ ଦିନରେ ତିନୋଟି ଭିନ୍ନ ସ୍ୱାଦର ନାଟକ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିବା ସହ ନାଟ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ନାଟ୍ୟୋତ୍ସବର ଶୁଭାରମ୍ଭ ରେଭେନ୍ସା ବିଶ୍ୱବିଦ୍ୟାଳୟସ୍ଥିତ ‘ସେଭେନ୍ ପିଲର୍ସ ଅଫ୍ ୱିଜଡମ୍’ଠାରେ ପାରମ୍ପରିକ ମଞ୍ଚ ପୂଜା ସହ ହୋଇଥିଲା।
ପ୍ରଥମ ଦିନର ପ୍ରଥମ ନାଟକ ଥିଲା ‘ମହାବାହୁ’। ଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ମହିମାକୁ ଆଧାର କରି ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ର ଛାତ୍ରଛାତ୍ରୀମାନେ ଏହାକୁ ପରିବେଷଣ କରିଥିଲେ। ନାଟକର ଅଭିନୟ ଓ ଭାବପୂର୍ଣ୍ଣ ଉପସ୍ଥାପନା ଦର୍ଶକଙ୍କୁ ଆକର୍ଷିତ କରିଥିଲା।
ଦ୍ୱିତୀୟ ନାଟକ ‘ନୀରବ ଚିଠି’ ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ମଞ୍ଚସ୍ଥ ହୋଇଥିଲା। ଯୌଥ ପରିବାରର ମହତ୍ତ୍ୱ, ପାରିବାରିକ ସମ୍ପର୍କ ଓ ପରିବାର ପାଇଁ ସମୟ ଦେବାର ଆବଶ୍ୟକତାକୁ ଏହି ନାଟକରେ ଭାବପ୍ରବଣ ଢଙ୍ଗରେ ଉପସ୍ଥାପନ କରାଯାଇଥିଲା।
ଦିନର ଶେଷ ନାଟକ ଭାବେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଫେରିଆ ବୋଇତ ସପନ ନେଇ’ ପରିବେଷିତ ହୋଇଥିଲା। କଟକର ଐତିହାସିକ ବାଲିଯାତ୍ରା, ଓଡ଼ିଆ ନୌବାଣିଜ୍ୟ ପରମ୍ପରା, ଭାଇଚାରା ଓ ସମୃଦ୍ଧ ସଂସ୍କୃତିକୁ ନାଟକ ମାଧ୍ୟମରେ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଥିଲା। ଏହା ଦର୍ଶକଙ୍କୁ କଟକର ଗୌରବମୟ ଐତିହ୍ୟ ସହ ଯୋଡ଼ିଥିଲା।
ଉଦ୍ଘାଟନୀ ଉତ୍ସବରେ ଡେପୁଟି କଲେକ୍ଟର ଶତ୍ରୁପା ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୋନାଲି କୁଣ୍ଡ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନାଙ୍କ ସମେତ ନାଟ୍ୟୋତ୍ସବ କମିଟିର ଉପଦେଷ୍ଟା ତଥା ସିନେ ତାରକା ଶ୍ରୀତମ ଦାସ ଉପସ୍ଥିତ ଥିଲେ।
ଏଥିସହ ବିଚାରକ ଧୀର ମଲ୍ଲିକ, ନମ୍ରତା ଦାସ ଓ ହରିଶ ମହାନ୍ତିଙ୍କ ସମେତ ନାଟ୍ୟ ପରାମର୍ଶଦାତା ଅନନ୍ତ ଦାଶ, ଦେବୀ ପ୍ରସାଦ ପଟ୍ଟନାୟକ, ବିଶ୍ୱଭୂଷଣ ମହାନ୍ତି, ଉମେଶ ଦାଶ, ଅକ୍ଷୟ ରଣା, ମହମ୍ମଦ ସଫିଉଲ ହକ୍, ସନ୍ଦୀପ ପାଣି, ବେବି ପ୍ରଧାନ ଓ ଶ୍ୱେତା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ।
ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ନାଟ୍ୟୋତ୍ସବର ଚୂଡ଼ାନ୍ତ ପର୍ଯ୍ୟାୟ ଚାଲିବ। ଏହି ଅବଧି ମଧ୍ୟରେ ଆହୁରି ନାଟକ ପରିବେଷଣକୁ ନେଇ ନାଟ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ରହିଛି।
