• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବନ୍ଦାଳ ଏଣ୍ଡରପଦାରେ ପ୍ରସ୍ତାବିତ ସାପ୍ତାହିକ ହାଟ ସ୍ଥଳ ପରିଦର୍ଶନ କଲେ ମିଳିତ ପ୍ରଶାସନିକ ଅଧିକାରୀ

Byodishri Live

Nov 3, 2026

ବୁଧବାର ଓ ରବିବାର ହାଟ ବସିବାକୁ ପ୍ରସ୍ତାବ; ଉପକୃତ ହେବେ କଟକ, ଯାଜପୁର ଓ ଢେଙ୍କାନାଳର ପରିବା ଚାଷୀ

ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳ-ଏଣ୍ଡରପଦା ସଂଯୋଗସ୍ଥଳରେ ପ୍ରସ୍ତାବିତ ସାପ୍ତାହିକ ହାଟ ପାଇଁ ଚିହ୍ନଟ ହୋଇଥିବା ସ୍ଥାନକୁ ମଙ୍ଗଳବାର ମିଳିତ ପ୍ରଶାସନିକ ଅଧିକାରୀଙ୍କ ଏକ ଦଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ହାଟ ପରିଚାଳନା ଓ ଆନୁଷଙ୍ଗିକ ସୁବିଧା ଯୋଗାଇବା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା।

ପ୍ରସ୍ତାବିତ ହାଟ ଆରମ୍ଭ ହେଲେ କଟକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ପରିବା ଚାଷୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି। ଚାଷୀମାନେ ନିଜ ଉତ୍ପାଦିତ ପରିବା ସହଜରେ ବିକ୍ରି କରିବାର ସୁଯୋଗ ପାଇବା ସହ ସ୍ଥାନୀୟ ଅଞ୍ଚଳରେ ପରିବା ଚାଷର ବିକାଶ ହୋଇପାରିବ। ପ୍ରସ୍ତାବ ଅନୁଯାୟୀ, ସପ୍ତାହରେ ଦୁଇ ଦିନ—ବୁଧବାର ଓ ରବିବାର ଏହି ହାଟ ବସିବ। ବନ୍ଦାଳ-ଏଣ୍ଡରପଦା ରାସ୍ତାର ଉଭୟ ପାର୍ଶ୍ୱରେ ହାଟ ପାଇଁ ଜାଗା ଚିହ୍ନଟ କରାଯାଇଛି।

ଏହି ସ୍ଥାନରେ ହାଟ ପ୍ରତିଷ୍ଠା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା। ସ୍ଥାନର ଭୌଗୋଳିକ ଅବସ୍ଥିତି, ଭିତ୍ତିଭୂମିର ସମ୍ଭାବନା, ପରିବା ଚାଷ ପାଇଁ ଉପଯୁକ୍ତ ମୃତ୍ତିକା ଓ ଜଳସେଚନ ବ୍ୟବସ୍ଥାକୁ ବିଚାରକୁ ନେଇ ଏହା ହାଟ ପାଇଁ ଉପଯୁକ୍ତ ସ୍ଥାନ ବୋଲି ଅଧିକାରୀମାନେ ମତ ଦେଇଥିବା ଜଣାପଡ଼ିଛି। ଏଠାରେ ସାପ୍ତାହିକ ହାଟ ଆରମ୍ଭ କରିବା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବା ନେଇ ମଧ୍ୟ ଆଶ୍ୱାସନା ଦିଆଯାଇଛି।

ପରିଦର୍ଶନରେ ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବଡ଼ଚଣା ଥାନା ଅଧିକାରୀ ଜଗଦୀଶ କର, ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ସନ୍ତୋଷ କୁମାର ବେହେରା ଏବଂ ବଡ଼ଚଣା ବିଡିଓଙ୍କ ପ୍ରତିନିଧି ଭାବେ ଜଣେ ସହକାରୀ ଯନ୍ତ୍ରୀ ଉପସ୍ଥିତ ଥିଲେ। ବନ୍ଦାଳ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅଜୟ କୁମାର ବିଶ୍ୱାଳ, ପୂର୍ବତନ ସରପଞ୍ଚ ଶ୍ରୀଚରଣ ଜେନାଙ୍କ ସମେତ ଅଞ୍ଚଳର ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।

ହାଟ ପାଇଁ ସ୍ଥାନ ଚିହ୍ନଟ ହେବା ପରେ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି। ନୂତନ ହାଟ ଆରମ୍ଭ ହେଲେ ପରିବା ଚାଷୀମାନେ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ଏକ ଉପଯୁକ୍ତ ବଜାର ପାଇବା ସହ ଅଞ୍ଚଳର ଚାଷ ଓ ବ୍ୟବସାୟିକ କାର୍ଯ୍ୟକଳାପକୁ ଗତି ମିଳିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *