ଅଧାପନ୍ତରିଆ ରାସ୍ତା କାମ ଶୀଘ୍ର ଆରମ୍ଭ, ଡାକ୍ତରଖାନା ଓ ବିଦ୍ୟାଳୟ ମରାମତି ସହ ଖଡ଼ିଆସାହିକୁ ବିଦ୍ୟୁତ୍ ସଂଯୋଗ ପାଇଁ ନିର୍ଦ୍ଦେଶ
ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ୍ ବିଶୋଇ ବ୍ଲକ୍ର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ରାସ୍ତା, ସ୍ୱାସ୍ଥ୍ୟସେବା, ଶିକ୍ଷା, ବିଦ୍ୟୁତ୍ ଯୋଗାଣ ଓ ଯାତାୟାତ ଭିତ୍ତିଭୂମିର ସ୍ଥିତି ସମୀକ୍ଷା କରିଛନ୍ତି। ଅଧାପନ୍ତରିଆ କାର୍ଯ୍ୟର ଶୀଘ୍ର ସମ୍ପୂର୍ଣ୍ଣତା, ଆବଶ୍ୟକ ମରାମତି ଓ ମୌଳିକ ସୁବିଧାର ଉନ୍ନତି ପାଇଁ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗସ୍ତର ପ୍ରାରମ୍ଭରେ ଜିଲ୍ଲାପାଳ ବିଶୋଇ-ଶଙ୍ଖାଭଙ୍ଗା ଭାୟା ହାତୀଛାଡ଼ ପୂର୍ତ୍ତ ବିଭାଗ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଥିଲେ। ଅଧାପନ୍ତରିଆ ହୋଇ ରହିଥିବା ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ପୁନଃ ଆରମ୍ଭ କରି ଯାତାୟାତ ଉପଯୋଗୀ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ଦ୍ୱାରଶୁଣୀ ଘାଟିରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଲେ ଏହି ରାସ୍ତା ବିକଳ୍ପ ମାର୍ଗ ଭାବେ ଉପଯୋଗୀ ହୋଇପାରିବ ବୋଲି ସେ କହିଥିଲେ।
ଏହାପରେ ଜିଲ୍ଲାପାଳ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଡାକ୍ତରଖାନା କୋଠାର ଛାତ ଓ କାନ୍ଥରୁ ପାଣି ଗଳୁଥିବା ସମସ୍ୟା ଦେଖି ଏହାର ତୁରନ୍ତ ମରାମତି ପାଇଁ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରଳିଆବିନ୍ଧା ମୌଜାରେ ପ୍ରସ୍ତାବିତ ନୂତନ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣ ଓ ଟେଣ୍ଡର ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ।
ପରବର୍ତ୍ତୀ ସମୟରେ ମହୁଭଣ୍ଡାର ଅନ୍ତର୍ଗତ ଖଡ଼ିଆସାହି ଗ୍ରାମକୁ ଯାଇ ସେଠାରେ ବିଦ୍ୟୁତ୍ ସଂଯୋଗ ନଥିବା ସମ୍ପର୍କରେ ଜିଲ୍ଲାପାଳ ଅବଗତ ହୋଇଥିଲେ। ଗ୍ରାମବାସୀଙ୍କୁ ବିଦ୍ୟୁତ୍ ସୁବିଧା ଯୋଗାଇବା ପାଇଁ ବାରିପଦା ବିଦ୍ୟୁତ୍ ଡିଭିଜନର ଟିପିଏନ୍ଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀ ଓ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ। ଗ୍ରାମକୁ ପାରମ୍ପରିକ ବିଦ୍ୟୁତ୍ ସଂଯୋଗ କିମ୍ବା ବିକଳ୍ପ ଭାବେ ସୌରଶକ୍ତି ମାଧ୍ୟମରେ ବିଦ୍ୟୁତ୍ ସୁବିଧା ଯୋଗାଇବାକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେ ଅଧିକାରୀଙ୍କୁ କହିଥିଲେ।
ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। କାଦୁଆଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ବିଦ୍ୟାଳୟ ଭାବେ ରୂପାନ୍ତରଣ ପାଇଁ ଆବଶ୍ୟକ ଜମି ପରିଦର୍ଶନ କରିଥିଲେ। ଏଥିସହ କାଦୁଆଣି ମୌଜାରେ ଥିବା ଖେଳପଡ଼ିଆର ଉନ୍ନତିକରଣ ପାଇଁ ସ୍ଥାନୀୟ ବିଡିଓଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ।
ଜାମିରଡ଼ିହାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ସମୟରେ କୋଠାର ଶୋଚନୀୟ ଅବସ୍ଥା ଓ ଛାତରୁ କଂକ୍ରିଟ୍ ଖଣ୍ଡ ଖସୁଥିବା ଦେଖି ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କୋଠାର ତୁରନ୍ତ ମରାମତି ପାଇଁ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହି ଗସ୍ତ ସମୟରେ ବିଶୋଇ ତହସିଲଦାର, ବିଶୋଇ ବିଡିଓ, ପୂର୍ତ୍ତ ବିଭାଗ ରାଇରଙ୍ଗପୁରର ଅଧୀକ୍ଷଣ ଯନ୍ତ୍ରୀ, ଜଳସେଚନ ବିଭାଗର ଏସ୍ଡିଓ, ବିଶୋଇ ବିଇଓଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
