• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଭଦ୍ରକରେ ସାଇବର ଠକେଇ ନେଟୱାର୍କର ପର୍ଦ୍ଦାଫାଶ: ୧୩୩୩ ସକ୍ରିୟ ସିମ୍‌ କାର୍ଡ ଜବତ

Byodishri Live

Nov 5, 2026

ନଗଦ ୧.୭୩ ଲକ୍ଷ ଟଙ୍କା ସହ ୮ଟି ମୋବାଇଲ୍‌, ବ୍ୟାଙ୍କିଂ ସାମଗ୍ରୀ ଓ କେଟିଏମ୍‌ ବାଇକ୍‌ ଜବତ

ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ସାଇବର ଅପରାଧ ବିରୋଧରେ ଭଦ୍ରକ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ ସଂଗଠିତ ସାଇବର ଅପରାଧ ନେଟୱାର୍କର ପର୍ଦ୍ଦାଫାଶ କରିଛି ଭଦ୍ରକ ସାଇବର କ୍ରାଇମ୍‌ ଆଣ୍ଡ ଇକୋନୋମିକ୍‌ ଅଫେନ୍ସ (CC & EO) ଥାନା ପୋଲିସ। ଠକେଇ ଉଦ୍ଦେଶ୍ୟରେ ସିମ୍‌ କାର୍ଡ ଓ ବ୍ୟାଙ୍କିଂ ସମ୍ବନ୍ଧୀୟ ସାମଗ୍ରୀ ସଂଗ୍ରହ ଏବଂ ଦୁରୁପଯୋଗ କରାଯାଉଥିବା ଅଭିଯୋଗରେ ଏହି ନେଟୱାର୍କ ଚିହ୍ନଟ ହୋଇଛି।

ଏହି ଘଟଣାରେ CC & EO ଥାନାରେ କେସ୍‌ ନମ୍ବର ୨୨/୨୦୨୬ ରୁଜୁ ହୋଇଛି। ତଦନ୍ତ ସମୟରେ ପୋଲିସ ୧୩୩୩ଟି ସକ୍ରିୟ ସିମ୍‌ କାର୍ଡ ଜବତ କରିଛି। ଏଥିସହ ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ବୁକ୍‌, ଏଟିଏମ୍‌ କାର୍ଡ, ଗୁଗୁଲ୍‌ ପେ କ୍ୟୁଆର୍‌ କୋଡ୍‌ ଏବଂ ନଗଦ ୧ ଲକ୍ଷ ୭୩ ହଜାର ୫୦୦ ଟଙ୍କା ଜବତ ହୋଇଛି।

ଏହା ବ୍ୟତୀତ ୮ଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ କେଟିଏମ୍‌ ମୋଟରସାଇକେଲ୍‌ ମଧ୍ୟ ପୋଲିସ ଜବତ କରିଛି। ଏତେ ସଂଖ୍ୟକ ସକ୍ରିୟ ସିମ୍‌ କାର୍ଡ ଓ ବ୍ୟାଙ୍କିଂ ସାମଗ୍ରୀ ଜବତ ହେବା ଘଟଣା ସାଇବର ଅପରାଧର ସମ୍ଭାବ୍ୟ ବ୍ୟାପକ ନେଟୱାର୍କ ନେଇ ତଦନ୍ତକୁ ଗୁରୁତ୍ୱ ଦେଇଛି।

ଜବତ ସିମ୍‌ କାର୍ଡ ଓ ବ୍ୟାଙ୍କିଂ ସାମଗ୍ରୀ କେଉଁ କେଉଁ ଠକେଇରେ ବ୍ୟବହାର ହୋଇଛି ଏବଂ ଏହି ନେଟୱାର୍କରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ସାଧାରଣ ଲୋକଙ୍କୁ ଅନଲାଇନ୍‌ ଆର୍ଥିକ ଠକେଇରୁ ସୁରକ୍ଷା ଦେବା ପାଇଁ ଭଦ୍ରକ ପୋଲିସ ପ୍ରତିବଦ୍ଧ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏଥିସହ ଅଜଣା ଲିଙ୍କ୍‌ରେ କ୍ଲିକ୍‌ ନକରିବା, ବ୍ୟାଙ୍କିଂ ତଥ୍ୟ ଓ ଓଟିପି ଅନ୍ୟ କାହାକୁ ନଦେବାକୁ ଜନସାଧାରଣଙ୍କୁ ସତର୍କ କରାଯାଇଛି। ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ନମ୍ବରରେ ଯୋଗାଯୋଗ କରି ଅଭିଯୋଗ କରିବାକୁ ପୋଲିସ ଆହ୍ୱାନ ଦେଇଛି।

Spread the love

Leave a Reply

Your email address will not be published. Required fields are marked *