ଲଡ଼ୁଗାଁ-ସୁପାଡ଼ ରାସ୍ତା ନିକଟରେ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ; ପରିଚୟ ଓ ମୃତ୍ୟୁର କାରଣ ଖୋଜୁଛି ପୁଲିସ
କୋକସରା, (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡ଼ୁଗାଁରୁ ସୁପାଡ଼ ଯିବା ରାସ୍ତା ନିକଟସ୍ଥ ଏକ ଧାନ ବିଲରୁ ମୁଣ୍ଡବିହୀନ ଅବସ୍ଥାରେ ଅଜଣା ମୃତଦେହ ଠାବ ହୋଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତଦେହର ଅବସ୍ଥାକୁ ଦେଖି ହତ୍ୟା ସନ୍ଦେହ ପ୍ରକାଶ ପାଇଥିବା ବେଳେ ଏନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ଲଡ଼ୁଗାଁ ବନ୍ଧପଡ଼ାର ଜଣେ ଚାଷୀ ଅପରାହ୍ନରେ ସୁପାଡ଼ ଯିବା ରାସ୍ତା ନିକଟରେ ଥିବା ନିଜ ଚାଷ ଜମିକୁ ଯାଇଥିଲେ। ସେହି ସମୟରେ ଧାନ ବିଲ ମଧ୍ୟରେ ଏକ ମୃତଦେହ ପଡ଼ିଥିବା ଦେଖି ସେ ଅନ୍ୟମାନଙ୍କୁ ଜଣାଇଥିଲେ। ଖବର ପ୍ରଚାର ହେବା ପରେ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲା।
ସନ୍ଧ୍ୟା ହୋଇଯାଇଥିବାରୁ ସେହିଦିନ ମୃତଦେହ ଉଦ୍ଧାର କରାଯାଇପାରିନଥିଲା। ପରଦିନ ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ମୃତଦେହଟି କାହାର, ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଛି ଏବଂ ଏହା ପଛରେ କୌଣସି ଅପରାଧିକ ଘଟଣା ରହିଛି କି ନାହିଁ, ସେନେଇ ଏଯାଏଁ ସ୍ପଷ୍ଟ ତଥ୍ୟ ମିଳିନାହିଁ। ପୁଲିସର ତଦନ୍ତ ଓ ଫରେନ୍ସିକ୍ ଯାଞ୍ଚ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।
