୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଉପସ୍ଥିତି; ୧୩୭ଟି ଅଭିଯୋଗ ଗ୍ରହଣ, ସୀମାନ୍ତ ଗ୍ରାମରେ ପହଞ୍ଚିଲା ବିଭିନ୍ନ ସରକାରୀ ସେବା
ମାଲକାନଗିରି, (ଓଡ଼ିଶ୍ରୀ ସମ୍ବାଦ): ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ମାଲକାନଗିରି ଜିଲ୍ଲାର ଝୁମଡାଙ୍ଗ ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଜନଶୁଣାଣି ତଥା ସେବା ଶିବିର ଆୟୋଜନ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଧୂଳିପୁଟ ପଞ୍ଚାୟତର ଏହି ସୀମାନ୍ତ ଗ୍ରାମରେ ଓଡ଼ିଶା ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ମୌଳିକ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ସୋମନାଥ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ବିଡିଓ ପ୍ରୀତା କୁମାର ଏବଂ ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ଶିବିରରେ ଗ୍ରାମବାସୀଙ୍କ ପାଇଁ ସାମାଜିକ ସୁରକ୍ଷା, ଆଧାର ପଞ୍ଜୀକରଣ, ଶ୍ରମ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ବନ୍ଧୀୟ ସେବା ସହ ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା।
ଏହି ଶିବିରରେ ୫୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଯୋଗଦେଇ ନିଜ ନିଜର ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିଥିଲେ। ଜିଲ୍ଲା ପ୍ରଶାସନ ମୋଟ ୧୩୭ଟି ଅଭିଯୋଗପତ୍ର ଗ୍ରହଣ କରିଥିଲା। ଏଥିରେ ୪ଟି ସାମୂହିକ ସମସ୍ୟା ଥିବାବେଳେ ଅନ୍ୟଗୁଡ଼ିକ ଜବ୍ କାର୍ଡ, ରାସନ କାର୍ଡ ଓ ଆବାସ ଯୋଜନା ସମ୍ବନ୍ଧୀୟ ବ୍ୟକ୍ତିଗତ ଅଭିଯୋଗ ଥିଲା। ଉପସ୍ଥିତ ଗ୍ରାମବାସୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ଜିଲ୍ଲାପାଳଙ୍କ ବାର୍ତ୍ତାରେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଝୁମଡାଙ୍ଗ ଗ୍ରାମ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗ୍ରାମବାସୀଙ୍କ ନିକଟରେ ଓଡ଼ିଶା ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନା ଓ ମୌଳିକ ସୁବିଧା ପହଞ୍ଚାଇବା ପ୍ରଶାସନର ପ୍ରାଥମିକତା। ସୀମାନ୍ତ ଅଞ୍ଚଳର ବିକାଶ ପ୍ରତି ଅବହେଳା କରାଯିବ ନାହିଁ ବୋଲି ମଧ୍ୟ ଆଶ୍ୱାସନା ଦିଆଯାଇଛି।
ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ଦୃଷ୍ଟିରୁ ଶିବିର ସମୟରେ ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ଏବଂ ସୀମାନ୍ତ ଅଞ୍ଚଳରେ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଥିଲା।
ଏହି ଶିବିରର ପୃଷ୍ଠଭୂମିରେ ଆନ୍ଧ୍ରପ୍ରଦେଶର ନିର୍ବାଚନରେ ଝୁମଡାଙ୍ଗ ଗ୍ରାମବାସୀଙ୍କ ଭାଗୀଦାରିକୁ ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲା। ତେବେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ, ଆଲୋଚନା ଓ ବିଭିନ୍ନ ସୁବିଧା ଯୋଗାଇଦେବାର ଆଶ୍ୱାସନା ପରେ ଗ୍ରାମବାସୀମାନେ ଆନ୍ଧ୍ରପ୍ରଦେଶ ନିର୍ବାଚନରେ ଭୋଟ୍ ନଦେବାକୁ ସମ୍ମତି ପ୍ରକାଶ କରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ସୀମାନ୍ତ ଅଞ୍ଚଳର ଲୋକଙ୍କ ପାଖରେ ସରକାରୀ ସେବା ପହଞ୍ଚାଇବା ଓ ସେମାନଙ୍କ ଅଭିଯୋଗର ସମାଧାନ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ ଗ୍ରାମବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କେତେ ଶୀଘ୍ର କାର୍ଯ୍ୟକାରୀ ହେଉଛି, ତାହା ଉପରେ ଏବେ ନଜର ରହିବ।
