• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବନ୍ଦାଳ-ଏଣ୍ଡରପଦାରେ ପ୍ରସ୍ତାବିତ ସାପ୍ତାହିକ ହାଟ ସ୍ଥଳ ପରିଦର୍ଶନ କଲେ ମିଳିତ ପ୍ରଶାସନିକ ଟିମ୍‌

Byodishri Live

Nov 6, 2026

ବୁଧବାର ଓ ରବିବାର ହାଟ ବସାଇବାକୁ ପ୍ରସ୍ତାବ; କଟକ, ଯାଜପୁର ଓ ଢେଙ୍କାନାଳର ପରିବା ଚାଷୀଙ୍କୁ ମିଳିବ ବଜାର ସୁଯୋଗ

ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ବନ୍ଦାଳ-ଏଣ୍ଡରପଦା ସଂଯୋଗ ସ୍ଥଳରେ ପ୍ରସ୍ତାବିତ ସାପ୍ତାହିକ ହାଟ ପାଇଁ ଚିହ୍ନଟ ହୋଇଥିବା ସ୍ଥାନକୁ ମିଳିତ ପ୍ରଶାସନିକ ଟିମ୍‌ ପରିଦର୍ଶନ କରିଛି। ଗତକାଲି ଅଧିକାରୀମାନେ ସ୍ଥାନଟି ବୁଲି ଦେଖିବା ସହ ହାଟ ପରିଚାଳନା ପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ଓ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା କରିଥିଲେ।

ପ୍ରସ୍ତାବ ଅନୁଯାୟୀ, ଏହି ହାଟ ସପ୍ତାହକୁ ଦୁଇଦିନ, ବୁଧବାର ଓ ରବିବାର ବସିବ। ବନ୍ଦାଳ-ଏଣ୍ଡରପଦା ରାସ୍ତାର ଉଭୟ ପାର୍ଶ୍ୱରେ ହାଟ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେଲେ କଟକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ପରିବା ଚାଷୀମାନେ ଉପକୃତ ହେବା ସହ ନିଜ ଉତ୍ପାଦିତ ପରିବା ସହଜରେ ବିକ୍ରି କରିବାର ସୁଯୋଗ ପାଇବେ। ଏଥିସହ ସ୍ଥାନୀୟ ଅଞ୍ଚଳରେ ପରିବା ଚାଷ ଓ ବାଣିଜ୍ୟର ବିକାଶ ହେବା ଆଶା କରାଯାଉଛି।

ଏହି ହାଟ ପ୍ରତିଷ୍ଠା ପାଇଁ ଦୀର୍ଘଦିନ ଧରି ଅଞ୍ଚଳବାସୀ ଦାବି କରିଆସୁଥିଲେ। ପ୍ରସ୍ତାବିତ ସ୍ଥାନର ଭୌଗୋଳିକ ଅବସ୍ଥିତି, ଆବଶ୍ୟକ ଭିତ୍ତିଭୂମି, ପରିବା ଚାଷ ପାଇଁ ଉପଯୁକ୍ତ ମୃତ୍ତିକା ଓ ଜଳସେଚନ ସୁବିଧା ଆଦିକୁ ଅଧିକାରୀମାନେ ଅନୁଧ୍ୟାନ କରିଥିଲେ। ଏଠାରେ ସାପ୍ତାହିକ ହାଟ ଆରମ୍ଭ କରିବା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ କହିଥିବା ସୂଚନା ମିଳିଛି।

ପରିଦର୍ଶନରେ ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବଡ଼ଚଣା ଥାନା ଅଧିକାରୀ ଜଗଦୀଶ କର, ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ସନ୍ତୋଷ କୁମାର ବେହେରା, ବଡ଼ଚଣା ବିଡିଓଙ୍କ ପ୍ରତିନିଧି ଓ ସହକାରୀ ଯନ୍ତ୍ରୀ ପ୍ରମୁଖ ସାମିଲ ହୋଇଥିଲେ।

ଏହି ସମୟରେ ବନ୍ଦାଳ ସରପଞ୍ଚଙ୍କ ପ୍ରତିନିଧି ଅଜୟ କୁମାର ବିଶ୍ୱାଳ, ପୂର୍ବତନ ସରପଞ୍ଚ ଶ୍ରୀଚରଣ ଜେନାଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ବିଭିନ୍ନ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ।

ହାଟ ପାଇଁ ସ୍ଥାନ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି। ବିଶେଷକରି ପରିବା ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ଏକ ଉପଯୁକ୍ତ ବଜାର ପାଇବା ସହ ଅଞ୍ଚଳର କୃଷି ଅର୍ଥନୀତିକୁ ଏହା ସହାୟତା କରିବ ବୋଲି ଆଶା ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *