ସାହିତ୍ୟ ସଭାରେ ଗଣକବିଙ୍କ ସାରସ୍ୱତ ସାଧନା ଓ ଯାତ୍ରା ନାଟକର ଲୋକପ୍ରିୟତା ଉପରେ ଆଲୋଚନା
ମାହାଙ୍ଗା, (ଓଡ଼ିଶ୍ରୀ ସମ୍ବାଦ): ଓଡ଼ିଶାର ବିଶିଷ୍ଟ ସାରସ୍ୱତ ସାଧକ ତଥା ଗୀତିନାଟ୍ୟ ସମ୍ରାଟ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ତମ ଜୟନ୍ତୀ ଅବସରରେ ମାହାଙ୍ଗା ସାରସ୍ୱତ ସେବାମଞ୍ଚ ପକ୍ଷରୁ ଖନ୍ଦୋଳସ୍ଥିତ ଏମ୍ସ ପବ୍ଲିକ ସ୍କୁଲ ପରିସରରେ ଏକ ଜୟନ୍ତୀ ସମାରୋହ ଆୟୋଜିତ ହୋଇଥିଲା।
ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାହିତ୍ୟ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଗଣକବିଙ୍କ ସାହିତ୍ୟ ସାଧନା ଓ ଯାତ୍ରା ନାଟକର ଲୋକପ୍ରିୟତା ଉପରେ ଆଲୋକପାତ କରିଥିଲେ। ଏମ୍ସ ପବ୍ଲିକ ସ୍କୁଲ ପରିଚାଳନା ସମିତିର ଅଧ୍ୟକ୍ଷ ରବୀନ୍ଦ୍ର ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଉଦ୍ଘାଟନ କରିଥିଲେ।
ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷ୍ଣବ ପାଣିଙ୍କ କାଳଜୟୀ ସାହିତ୍ୟ ସାଧନା ତାଙ୍କୁ ଅମର କରି ରଖିଛି ବୋଲି ମତ ଦେଇଥିଲେ। ମୁଖ୍ୟବକ୍ତା ରସରାଜ ବୀର କିଶୋର ସ୍ୱାଇଁ ଗଣକବିଙ୍କ ସଂଘର୍ଷମୟ ଜୀବନ ଓ ସାହିତ୍ୟିକ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷ ରଶ୍ମିରଞ୍ଜନ ଦାଶ ଯୋଗଦେଇ ସେକ୍ସପିୟରଙ୍କ ଇଂରାଜୀ ନାଟକ ଓ ଗଣକବିଙ୍କ ନାଟକ ମଧ୍ୟରେ ଥିବା ତୁଳନାତ୍ମକ ଦିଗ ଉପରେ ନିଜର ମତ ରଖିଥିଲେ। ସମ୍ମାନିତ ବକ୍ତା ଭାବେ ବିଦ୍ୟାଳୟର ପରିଚାଳକ ଶାରଦା ପ୍ରସାଦ ପଣ୍ଡା ଗଣକବିଙ୍କ ସାହିତ୍ୟରେ ଶିଶୁମନର ଭାବନାର ପ୍ରତିଫଳନ ସମ୍ପର୍କରେ କହିଥିଲେ।
ସାହିତ୍ୟିକ ରାଜକିଶୋର ମୁଣ୍ଡି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଆକାଂକ୍ଷା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମାରୋହରେ ସାମ୍ବାଦିକ ରମେଶ ଦାସ, ରବିନାରାୟଣ ଦାସ, ଦାମୋଦର ପରିଡ଼ା, ଗୋବିନ୍ଦ ଚନ୍ଦ୍ର ବେହୁରା, ଶିକ୍ଷୟିତ୍ରୀ ମମତା ବାରିକ, ରେଣୁବାଳା ମିଶ୍ର, ସ୍ମିତା ସାମଲ, ପ୍ରିୟଙ୍କା ସ୍ୱାଇଁ, ଚିନ୍ମୟୀ ମହାପାତ୍ର, ପ୍ରଦାୟିନୀ ସ୍ୱାଇଁ, ଲକ୍ଷ୍ମୀପ୍ରିୟା ପରିଡ଼ା, ରୋଜାଲିନ ବାରିକ, କନକଲତା ମିଶ୍ର, ହୃଷିକେଶ ସ୍ୱାଇଁ, ଗାୟତ୍ରୀ ସେନାପତି, ଶରଣ୍ୟ ରଞ୍ଜନ ଓ ଶୁଭଦର୍ଶିନୀ ମିଶ୍ରଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇ ଗଣକବିଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ।
ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା ସମିତିର କର୍ମକର୍ତ୍ତା ଓ ବହୁ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ସାରସ୍ୱତ ଉତ୍ସବ ସମ୍ପନ୍ନ ହୋଇଥିଲା।
