୬ଟି ଗ୍ରାମର ପ୍ରାୟ ୧୫୦୦ ଲୋକ ହେଉଛନ୍ତି ହନ୍ତସନ୍ତ; ରୋଗୀ, ଗର୍ଭବତୀ ଓ ଛାତ୍ରଛାତ୍ରୀଙ୍କ ଯାତାୟାତରେ ସମସ୍ୟା
ଦାରିଙ୍ଗବାଡ଼ି, (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ଗ୍ରାମପଞ୍ଚାୟତର ଗଡ଼ାମାଠାରୁ ନୂଆଗାଁ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ରାସ୍ତା ଦୀର୍ଘଦିନ ଧରି ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଖାଲଖମା ସୃଷ୍ଟି ହୋଇଥିବାରୁ ଲୋକଙ୍କ ଯାତାୟାତ ଦୁର୍ବିଷହ ହୋଇପଡ଼ିଛି।
ଏହି ରାସ୍ତା ଉପରେ ନୂଆଗାଁ, କିନାରିଗାଁ, କୁଟଲ୍ୟାରଣା, ସାଙ୍ଗୋଡ଼ାମା, ବାଘପୋଡ଼ା ଓ ଗଡ଼ାମା ଆଦି ୬ଟି ଗ୍ରାମର ପ୍ରାୟ ୧୫୦୦ ଲୋକ ନିର୍ଭରଶୀଳ। ରାସ୍ତାର ଦୁରବସ୍ଥା ଯୋଗୁଁ ଗ୍ରାମବାସୀଙ୍କୁ ଦୈନନ୍ଦିନ ଯାତାୟାତ ସହ ସ୍ୱାସ୍ଥ୍ୟସେବା, ଶିକ୍ଷା, ବଜାର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ପାଇବାରେ ଅସୁବିଧା ହେଉଛି।
ବିଶେଷକରି ରୋଗୀ, ଗର୍ଭବତୀ ମହିଳା, ଛାତ୍ରଛାତ୍ରୀ ଓ ବୃଦ୍ଧବୃଦ୍ଧାଙ୍କ ଯାତାୟାତ ଅଧିକ କଷ୍ଟକର ହୋଇପଡ଼ିଛି। ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ମଧ୍ୟ ଚ୍ୟାଲେଞ୍ଜ ହେଉଥିବା ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ପାଲଟିଛି।
ଏହି ସମସ୍ୟାର ସମାଧାନ ପାଇଁ ଝିଞ୍ଜିରିଗୁଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଚାନ୍ଦିନୀ ପ୍ରଧାନ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି। ରାସ୍ତାର ସ୍ଥିତି ତୁରନ୍ତ ଯାଞ୍ଚ କରିବା ସହ ମରାମତି ଏବଂ ସ୍ଥାୟୀ ରକ୍ଷଣାବେକ୍ଷଣ ପାଇଁ ସେ ଅନୁରୋଧ କରିଛନ୍ତି।
ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଓ ଲୋକଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ରାସ୍ତା ମରାମତି ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ସରପଞ୍ଚ ଦାବି କରିଛନ୍ତି।
