ରାସ୍ତା ନିର୍ମାଣ ବଦଳରେ ପୁରୁଣା ରାସ୍ତାର ମରାମତି ଅଭିଯୋଗ; ଦୁଇ ପ୍ରକଳ୍ପର ତଦନ୍ତ ଦାବି କଲେ ଗ୍ରାମବାସୀ
ବାଲିଆପାଳ, (ଓଡ଼ିଶ୍ରୀ ସମ୍ବାଦ): ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ର ବାଲିକୁଟି ପଞ୍ଚାୟତରେ ଅନିୟମିତତା ଅଭିଯୋଗ ଉଠିଛି। ଦୁଇଟି ରାସ୍ତା ପ୍ରକଳ୍ପରେ ମଞ୍ଜୁର ହୋଇଥିବା ଅର୍ଥ ଅନୁଯାୟୀ କାମ ହୋଇନଥିବା ଏବଂ ନିର୍ମାଣ ବଦଳରେ ପୁରୁଣା ରାସ୍ତା ମରାମତି କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଦକ୍ଷିଣ ମହାବଳା ଗ୍ରାମରେ ଶ୍ରୀକାନ୍ତ ସାହୁଙ୍କ ଘରଠାରୁ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ତେବେ ନିର୍ଦ୍ଧାରିତ ସ୍ଥାନରେ କାମ ନକରି ଅନ୍ୟ ସ୍ଥାନରେ ରାସ୍ତା ନିର୍ମାଣ କରାଯିବା ସହ ପୁରୁଣା ରାସ୍ତା ମରାମତି ହୋଇଥିବା ଅଭିଯୋଗ ହୋଇଛି।
ସେହିପରି ଅଲମାଡିହଠାରୁ ମାନ୍ଧାତା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ମଧ୍ୟ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ପୂର୍ବରୁ ଥିବା ଢଳାଇ ରାସ୍ତା ଉପରେ ମରାମତି କାମ କରାଯାଇଥିବା ଗ୍ରାମବାସୀ କହିଛନ୍ତି। ଏହି କାମରେ ରାସ୍ତାର ଢଳାଇ ମୋଟେଇ କେତେକ ସ୍ଥାନରେ ମାତ୍ର ୨ରୁ ୪ ଇଞ୍ଚ ରହିଥିବା ଏବଂ ନିର୍ମାଣର ଗୁଣବତ୍ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି।
ୱାର୍ଡ ସଭ୍ୟ ବୁଦ୍ଧଦେବ ପ୍ରଧାନଙ୍କ ସମେତ ଅର୍ଜୁନ ହାଁସଦା, ସୁକୁଲ ସୋରେନ, ଶାନ୍ତି ହେମ୍ବ୍ରମ ଓ ଖେଲା ହାଁସଦା ପ୍ରମୁଖ ଏହି ଅଭିଯୋଗ ଉଠାଇଛନ୍ତି। ପ୍ରକଳ୍ପ ସମ୍ପର୍କରେ ଗ୍ରାମବାସୀଙ୍କୁ ଉପଯୁକ୍ତ ସୂଚନା ଦିଆଯାଇନଥିବା ସେମାନେ କହିଛନ୍ତି। ଏଥିସହ ପଞ୍ଚାୟତର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସଭାପତି ରାମକୃଷ୍ଣ ପ୍ରଧାନଙ୍କ କାର୍ଯ୍ୟଧାରାକୁ ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପକ୍ଷରେ, କନିଷ୍ଠ ଯନ୍ତ୍ରୀ ଜୟନ୍ତ କୁମାର ନନ୍ଦୀ କାମ ହୋଇଥିବା ଦିନ ସେ ଉପସ୍ଥିତ ନଥିବା କହିଥିବା ଜଣାପଡ଼ିଛି।
ଉଭୟ ପ୍ରକଳ୍ପର ଉଚ୍ଚସ୍ତରୀୟ ତଦନ୍ତ କରି ରାସ୍ତା ନିର୍ମାଣର ସ୍ଥାନ, ମାପ, ଗୁଣବତ୍ତା ଓ ଖର୍ଚ୍ଚର ଯାଞ୍ଚ କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ତଦନ୍ତ ପରେ ଅଭିଯୋଗର ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି।
