ଏଟିଏମ୍ ସେବାର ଶୁଭାରମ୍ଭ କଲେ ବ୍ୟାଙ୍କ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ; ଗ୍ରାହକଙ୍କୁ ମିଳିବ ଟଙ୍କା ଉଠାଣର ସୁବିଧା
ମାଥିଲି, (ଓଡ଼ିଶ୍ରୀ ସମ୍ବାଦ): ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ସଦର ମହକୁମାରେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସି ବ୍ୟାଙ୍କ) ପକ୍ଷରୁ ନୂତନ ଏଟିଏମ୍ ସେବା ଆରମ୍ଭ କରାଯାଇଛି। ଏହାଦ୍ୱାରା ବ୍ୟାଙ୍କର ଗ୍ରାହକମାନେ ଏଣିକି ଏଟିଏମ୍ ମାଧ୍ୟମରେ ସୁବିଧାରେ ଟଙ୍କା ଉଠାଣ କରିପାରିବେ। ଫଳରେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବାର ଆବଶ୍ୟକତା କମିବ।
କେସିସି ବ୍ୟାଙ୍କ ଲିମିଟେଡ୍ର ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଏହି ଏଟିଏମ୍ ସେବାର ଉଦ୍ଘାଟନ କରିଥିଲେ।
ଉଦ୍ଘାଟନୀ ସମାରୋହରେ ମାଲକାନଗିରି ଡିଆରସିଏସ୍ ଥିଓଫିଲା ସବର, କେସିସି ବ୍ୟାଙ୍କର ନିର୍ଦ୍ଦେଶକ ରମାକାନ୍ତ ରଣା, ଉଦୟନାଥ ମାଦ୍ରି ଓ ଗୋପୀ ପାଙ୍ଗି, ବ୍ୟାଙ୍କ ସଚିବ ଐଶ୍ୱର୍ଯ୍ୟ ରତ୍ନ ମହାନ୍ତି, ଏଜିଏମ୍ ହରିଶ ଚନ୍ଦ୍ର ବନଗାଡ଼ି ଏବଂ ମାଥିଲି ଶାଖା ପରିଚାଳକ ମାନସ ରଞ୍ଜନ ବେହେରାଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀ ଓ ସଦସ୍ୟ ଉପସ୍ଥିତ ଥିଲେ।
ମାଥିଲି ଭଳି ଅଞ୍ଚଳରେ ଏଟିଏମ୍ ସେବା ଆରମ୍ଭ ହେବା ଦ୍ୱାରା ବ୍ୟବସାୟୀ, ଚାଷୀ ଓ ସାଧାରଣ ଗ୍ରାହକମାନେ ଉପକୃତ ହେବେ। ବ୍ୟାଙ୍କର ଏହି ପଦକ୍ଷେପକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଓ ସନ୍ତୋଷ ପ୍ରକାଶ ପାଇଛି।
