ପାଲା ଓ ମୁକ୍ତ ରଙ୍ଗମଞ୍ଚ ସାଜୁଛି ଉତ୍ସବର ଆକର୍ଷଣ; ଠାକୁରାଣୀଙ୍କ ଆବାହନରେ ଭକ୍ତିମୟ ପରିବେଶ
ରାଜକନିକା, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଅନ୍ତର୍ଗତ ଓଲାଭରରେ ଦୀର୍ଘ ୮୦ ବର୍ଷ ଧରି ପାଳିତ ହୋଇଆସୁଛି ପ୍ରସିଦ୍ଧ ମା’ କାଳୀଙ୍କ ପୂଜା। ଏହି ପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଅଞ୍ଚଳର ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଏକ ପ୍ରତୀକ ଭାବେ ପରିଚିତ। ପୂଜା ଅବସରରେ ପାଲା ଓ ମୁକ୍ତ ରଙ୍ଗମଞ୍ଚ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି।
ଗତ କିଛି ବର୍ଷ ହେବ ଅବିଭକ୍ତ ଓଲାଭର ଅଞ୍ଚଳର ପ୍ରତ୍ୟେକ ଠାକୁରାଣୀଙ୍କୁ ପୂଜା ପାଇଁ ନିମନ୍ତ୍ରଣ ଓ ଆବାହନ କରିବାର ଏକ ନୂତନ ପରମ୍ପରା ଆରମ୍ଭ ହୋଇଛି। ଏହାଦ୍ୱାରା ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି। ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ଦର୍ଶନାର୍ଥୀମାନେ ଏହି ପରମ୍ପରା ସହ ଭାବପ୍ରବଣ ଭାବେ ଯୋଡ଼ି ହେଉଛନ୍ତି।
ଆଜି ପ୍ରାତଃ ୮ଟାରୁ ସଂଘର କର୍ମକର୍ତ୍ତାମାନେ ଫୁଲ ଡାଲା, ଧୂପ, ଦୀପ, ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୂର, କଉଡ଼ି ଓ ଭୋଗ ଆଦି ପୂଜା ସାମଗ୍ରୀ ଧରି ଗାଁ ଗାଁ ବୁଲି ଠାକୁରାଣୀମାନଙ୍କୁ ନିମନ୍ତ୍ରଣ କରିଥିଲେ।
ପ୍ରତ୍ୟେକ ଗାଁରେ ଗୋବର ପାଣିରେ ଲିପାପୋଛା ସହ ଚିତା ଓ ଝୋଟିରେ ସଜାଯାଇଥିବା ପରିବେଶ ଏହି ନିମନ୍ତ୍ରଣ ପର୍ବକୁ ଆହୁରି ଆକର୍ଷଣୀୟ କରିଥିଲା। ଗ୍ରାମବାସୀଙ୍କ ଭକ୍ତି, ଶ୍ରଦ୍ଧା ଓ ସହଯୋଗ ଏହି ପରମ୍ପରାର ମହତ୍ତ୍ୱକୁ ପ୍ରତିଫଳିତ କରିଛି।
୮୦ ବର୍ଷର ଏହି ପୂଜା ପରମ୍ପରା ଆଜି ମଧ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ଧାର୍ମିକ ଏକତା, ସାଂସ୍କୃତିକ ଚେତନା ଓ ଭାଇଚାରାର ଭାବନାକୁ ଦୃଢ଼ କରି ରଖିଛି।
