୧୩୫ଟି ପ୍ରକଳ୍ପରୁ ୭ଟି ମନୋନୀତ; ବରିଷ୍ଠ ବିଭାଗରୁ ୫ ଓ କନିଷ୍ଠ ବିଭାଗରୁ ୨ଟି ପ୍ରକଳ୍ପ
କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ–୨୦୨୬ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କେନ୍ଦୁଝରସ୍ଥିତ ଏନ୍.ଏସ୍. ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରୁ ମୋଟ ୭ଟି ପ୍ରକଳ୍ପ ରାଜ୍ୟସ୍ତରୀୟ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଛି।
ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜର ବୈଜ୍ଞାନିକ ଚିନ୍ତାଧାରା, ଗବେଷଣାମୂଳକ ଉପସ୍ଥାପନା ଓ ଅଭିନବ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୧୩୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ସେଥିମଧ୍ୟରୁ କନିଷ୍ଠ ବିଭାଗରେ ୨୮ଟି ଏବଂ ବରିଷ୍ଠ ବିଭାଗରେ ୧୦୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ବିଚାରକମଣ୍ଡଳୀଙ୍କ ମୂଲ୍ୟାୟନ ପରେ ୭ଟି ପ୍ରକଳ୍ପ ମନୋନୀତ ହୋଇଛି। ଏଥିରେ ବରିଷ୍ଠ ବିଭାଗରୁ ୫ଟି ଏବଂ କନିଷ୍ଠ ବିଭାଗରୁ ୨ଟି ପ୍ରକଳ୍ପ ରହିଛି। ଡ. କୁଳମଣି ପ୍ରଧାନ, ଅଶୋକ କୁମାର ସାହୁ, ଯତୀନ୍ଦ୍ର ସାହୁ ଓ ରଶ୍ମିକାନ୍ତ ପ୍ରଧାନଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପରମେଶ୍ୱର ମହାନ୍ତ ଏବଂ ଜର୍ମାନୀର ବୈଜ୍ଞାନିକ ଡ. ଶିବାଶିଷ ଗିରି ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଡ. ଗିରି ନିଜର ଅଭିଜ୍ଞତା ଓ ବୈଜ୍ଞାନିକ ଚିନ୍ତାଧାରା ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। ତାଙ୍କ ବକ୍ତବ୍ୟ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନର ବିଭିନ୍ନ ଶାଖାରେ ଗବେଷଣା, ନୂତନ ଜ୍ଞାନ ଆହରଣ ଓ ଉଦ୍ଭାବନ ଦିଗରେ ଆଗେଇବାକୁ ପ୍ରେରଣା ଦେଇଥିଲା।
ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷିକା ବେଳା ରାଉତ ଓ ଜିଲ୍ଲା ସଂଯୋଜକ ସୁଶାନ୍ତ କୁମାର ଦକ୍ଷିଣରାୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଉଦ୍ଯାପନୀ ଅଧିବେଶନରେ କେନ୍ଦୁଝରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାମଲ, ସଦର ଗୋଷ୍ଠୀ ଶିକ୍ଷାଧିକାରୀ ଓଁକାର ଅନ୍ୱେଷ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କପିଳ ଚନ୍ଦ୍ର ଦାସ ଯୋଗଦେଇଥିଲେ। ସେମାନେ ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଚିନ୍ତନ, ସୃଜନଶୀଳତା ଓ ଗବେଷଣାମୂଳକ ମନୋଭାବର ବିକାଶ ଉପରେ ଗୁରୁତ୍ୱ ଦେବା ସହ ମନୋନୀତ ପ୍ରକଳ୍ପଗୁଡ଼ିକର ସଫଳତା କାମନା କରିଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଏନ୍.ଏସ୍. ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଅବଦାନ ରହିଥିଲା। ବରିଷ୍ଠ ଶିକ୍ଷୟିତ୍ରୀ ମଧୁସ୍ମିତା ଚକ୍ର, ଜିଲ୍ଲା ଏକାଡେମିକ୍ ସଂଯୋଜକ ବିବେକାନନ୍ଦ ରାଉତ, ସାଗରିକା ସାହୁ, ସୌମ୍ୟପ୍ରକାଶ ସାହୁ, ବିଜୟ କୁମାର ବେହେରା, ଦିବ୍ୟ ସଙ୍ଗନା ନାୟକଙ୍କ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ଅନୁସନ୍ଧିତ୍ସା, ସୃଜନଶୀଳତା ଓ ଗବେଷଣା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି କଂଗ୍ରେସର ମୁଖ୍ୟ ଉଦ୍ଦେଶ୍ୟ। ଏହା ଛାତ୍ରଛାତ୍ରୀଙ୍କୁ ନିଜ ପରିବେଶ ଓ ସ୍ଥାନୀୟ ସମସ୍ୟାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବୁଝିବା ସହ ନୂତନ ସମାଧାନ ଖୋଜିବା ପାଇଁ ମଞ୍ଚ ଯୋଗାଇଦେଇଛି।
