ପାଣିକଟା: ବୁଦ୍ଧି, ସିଦ୍ଧି ଓ ସମୃଦ୍ଧିର ଦେବତା ପ୍ରଭୁ ଶ୍ରୀଗଣେଶଙ୍କ ପୂଜାରୋତ୍ସବ ସାରା ରାଜ୍ୟରେ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଛି। ଏହି ଅବସରରେ ପାଣିକଟାର ଅଗ୍ରଣୀ ଯୁବ ଅନୁଷ୍ଠାନ ନୀଳକଣ୍ଠ ୟୁଥକ୍ଳବ ପକ୍ଷରୁ ୧୫ତମ ବାର୍ଷିକ ଗଣେଶ ପୂଜା ସମାରୋହ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଛି।
ଚଳିତବର୍ଷ ପୂଜାର ମୁଖ୍ୟ ଆକର୍ଷଣ ଥିଲା କ୍ଳବ୍ ପକ୍ଷରୁ ନିର୍ମିତ ସ୍ୱତନ୍ତ୍ର ‘ଭୂତୀୟା ଗୁମ୍ଫା’ ବା Horror Cave। ରୋମାଞ୍ଚକର ଏହି ଗୁମ୍ଫାକୁ ଦେଖିବା ସହ ଏହାର ଅନୁଭୂତି ନେବା ପାଇଁ ପାଣିକଟା ଓ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ଼ ଜମିଥିଲା।
ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଭୂତୀୟା ଗୁମ୍ଫାର ରୋମାଞ୍ଚକର ଅନୁଭୂତି ନେଇଥିଲେ। ପୂଜା ମଣ୍ଡପ ସହ ଏହି ଗୁମ୍ଫା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା।
ଏହି ଆୟୋଜନକୁ ସଫଳ କରିବାରେ ନୀଳକଣ୍ଠ ୟୁଥକ୍ଳବର ସମସ୍ତ ସଦସ୍ୟଙ୍କ ନିଷ୍ଠା ଓ ପରିଶ୍ରମ ରହିଥିଲା। ସଭାପତି ସୁବ୍ରତ ସ୍ୱାଇଁ ଓ ସମ୍ପାଦକ ମାନସ ସ୍ୱାଇଁଙ୍କ ନେତୃତ୍ୱରେ ଗଣେଶ ସ୍ୱାଇଁ, ଶିଶିର ପଣ୍ଡା, ବିକ୍ରମ ପରିଡ଼ା, ରାଜେଶ ସ୍ୱାଇଁ, ସୁନୀଲ ସ୍ୱାଇଁ ଓ ଶ୍ରୀପଦ ସ୍ୱାଇଁଙ୍କ ସମେତ କ୍ଳବର ସମସ୍ତ କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜା କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।
ନୀଳକଣ୍ଠ ୟୁଥକ୍ଳବର ୧୫ ବର୍ଷର ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ ଯାତ୍ରାକୁ ନେଇ ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଲୋକେ ପ୍ରଶଂସା କରିଛନ୍ତି। ପୂଜା ସହ ଭୂତୀୟା ଗୁମ୍ଫାର ନିଆରା ପରିକଳ୍ପନା ଚଳିତବର୍ଷ ପାଣିକଟା ଗଣେଶ ପୂଜାକୁ ଅଧିକ ଆକର୍ଷଣୀୟ କରିଥିଲା।
