ଶଙ୍କରାଖୋଲ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଓ ପସରା ଅଞ୍ଚଳରେ ଆଞ୍ଚଳିକ ସମୂହ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଛି। ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ବିଭିନ୍ନ ଖେଳରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ଶଙ୍କରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ପ୍ରତିଯୋଗିତାକୁ କ୍ରୀଡ଼ା ସମ୍ପାଦକ ବାପୁଜୀ ଦିଗାଳଙ୍କ ତତ୍ତ୍ୱାବଧାନରେ ପରିଚାଳନା କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ା ଶିକ୍ଷକ ଏମ୍. ବାଳକୃଷ୍ଣ ଦୋରା, ସୁଶୀଲ କୁମାର କହଁର, ଜଗନ୍ନାଥ ଯାନୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
ସେହିପରି ପସରାସ୍ଥିତ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ ମଧ୍ୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଠାରେ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ବ୍ଲକ ସ୍ତରରୁ ୬୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ସୂଚନା ମିଳିଛି।
କାର୍ଯ୍ୟକ୍ରମରେ ଏବିଇଓ ଶେଷଦେବ ପ୍ରଧାନ, ଏବିଇଓ ବୁଲୁ ଦେଶୀ ନାୟକ, ସରପଞ୍ଚ ଜାନକୀ ପ୍ରଧାନ, ସାମ୍ବାଦିକ ମନୋଜ କୁମାର ଗୌଡ଼ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
ପ୍ରତିଯୋଗିତା ଆରମ୍ଭରେ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ଶପଥ ପାଠ କରାଯାଇଥିଲା। ପରେ ବିଭିନ୍ନ କ୍ରୀଡ଼ାରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ କ୍ରୀଡ଼ା ସମ୍ପାଦକମାନେ ସହଯୋଗ କରିଥିଲେ।
