ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ଓଡ଼ିଶା ସମବାୟ ନୀତି–୨୦୨୬ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନର ଭଦ୍ରକ ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଛି। ଏହି ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ ଭୁବନେଶ୍ୱରସ୍ଥିତ OUATର କୃଷି ଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ସୂଚନା ଦିଆଯାଇଛି।
ଗ୍ରାମୀଣ ଅଞ୍ଚଳର ପ୍ରତ୍ୟେକ ପରିବାରରୁ ଅନ୍ୟୁନ ଜଣେ ସଦସ୍ୟଙ୍କୁ ପ୍ରାଥମିକ କୃଷି ସମବାୟ ସମିତି (PACS) ଓ ବୃହତ୍ ଆକାରର ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ସହ ସଂଯୋଜିତ କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ରହିଛି। ଏଥିସହ ମହିଳା ଓ ଯୁବବର୍ଗଙ୍କ ସମବାୟ ବ୍ୟବସ୍ଥାରେ ଅଧିକ ଅଂଶଗ୍ରହଣ, ନୂତନ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ସହ ସ୍ୱଚ୍ଛ ଓ ପ୍ରଯୁକ୍ତିଭିତ୍ତିକ ସଦସ୍ୟତା ବ୍ୟବସ୍ଥା ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି।
ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଭଦ୍ରକ ବିଧାୟକଙ୍କ ପ୍ରତିନିଧି ଜ୍ୟୋତି ପ୍ରକାଶ ମହାକୁଡ଼, ଡେପୁଟି ରେଜିଷ୍ଟ୍ରାର ଅଫ୍ କୋ-ଅପରେଟିଭ୍ ସୋସାଇଟି ଦୁଖିଆ ଟୁଡୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶଶିଭୂଷଣ ମହାପାତ୍ର ଏବଂ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ବିଜୟକେତନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଅଭିଯାନ ଅନ୍ତର୍ଗତ ସମବାୟ ସଦସ୍ୟତାରୁ ବଞ୍ଚିତ ପରିବାରଗୁଡ଼ିକୁ ଚିହ୍ନଟ କରାଯାଇ ଯୋଗ୍ୟ ବ୍ୟକ୍ତିଙ୍କୁ ସଦସ୍ୟତା ପ୍ରଦାନ କରାଯିବ। ଏଥିପାଇଁ ଗ୍ରାମସ୍ତରରେ ଘରକୁ ଘର ପ୍ରଚାର ସହ ସଦସ୍ୟତା ନାମଲେଖା କରାଯିବ। ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଡିଜିଟାଲ୍ ଭାବେ ଆବେଦନ ଗ୍ରହଣ କରାଯାଇ ସମ୍ପୃକ୍ତ PACS/LAMPCSକୁ ଯାଞ୍ଚ ଓ ଅନୁମୋଦନ ପାଇଁ ପଠାଯିବ।
ଦୁଇ ମାସ ଧରି ଚାଲିବାକୁ ଥିବା ଏହି ମହାଅଭିଯାନ ମାଧ୍ୟମରେ ଭଦ୍ରକ ଜିଲ୍ଲାର ଅଧିକ ସଂଖ୍ୟକ ଗ୍ରାମୀଣ ପରିବାରକୁ ସମବାୟ ବ୍ୟବସ୍ଥାର ପରିସରଭୁକ୍ତ କରିବା ସହ ଜିଲ୍ଲାରେ ଏକ ବ୍ୟାପକ ଡିଜିଟାଲ୍ ସଦସ୍ୟତା ତଥ୍ୟଭଣ୍ଡାର ଗଠନ ଲକ୍ଷ୍ୟ ରଖାଯାଇଛି।
କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ପରିଚାଳନା କରିଥିଲେ।
