• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଭଙ୍ଗା କେବିନରେ ୬୭ ବର୍ଷର ସବିତାଙ୍କ ଜୀବନ

Byodishri Live

Sep 25, 2026

କଟକ (ଓଡ଼ିଶ୍ରୀ ସମ୍ବାଦ): ଭଙ୍ଗା କେବିନ ହିଁ ଘର। ଆଉ ସେହି ଭଙ୍ଗା କେବିନ ଭିତରେ କଟୁଛି ୬୭ ବର୍ଷର ଜୀବନ। ନା ଅଛି ସୁରକ୍ଷିତ ଘର, ନା ମିଳୁଛି ନିୟମିତ ସରକାରୀ ସହାୟତା। କଟକ ଚାଉଳିଆଗଞ୍ଜ ତଳସାହିର କୁମାରୀ ସବିତା ମହାନ୍ତିଙ୍କ ଜୀବନର ଏହି ଦୁର୍ଦ୍ଦଶା ଏବେ ଚର୍ଚ୍ଚାରେ।

ସବିତାଙ୍କ ପିତା ସ୍ୱର୍ଗତ ଦିବାକର ମହାନ୍ତି। ଅଳ୍ପ ବୟସରେ ସବିତା କୋଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ସେ ସମୟରେ କୋଷ୍ଠ ରୋଗୀଙ୍କ ପ୍ରତି ରହିଥିବା ସାମାଜିକ ଦୃଷ୍ଟିଭଙ୍ଗୀ ଯୋଗୁଁ ସେ ନିଜ ବାପା-ମାଆଙ୍କଠାରୁ ଅଲଗା ହୋଇ ଏକ ଛୋଟ କେବିନରେ ରହିବାକୁ ବାଧ୍ୟ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।

ସମୟ ବଦଳିଛି, ବାପା-ମାଆ ମଧ୍ୟ ଆଉ ନାହାନ୍ତି। କିନ୍ତୁ ସବିତାଙ୍କ ଜୀବନର ଦୁର୍ଦ୍ଦଶା ବଦଳିନାହିଁ। ଆଜି ବି ସେହି ଭଙ୍ଗା କେବିନ ତାଙ୍କର ଏକମାତ୍ର ଆଶ୍ରୟ। ବର୍ଷା, ଖରା, ଶୀତ କିମ୍ବା ଝଡ଼—ସବୁ ପରିସ୍ଥିତିରେ ସେହି ଅସୁରକ୍ଷିତ କେବିନରେ ଦିନ କାଟୁଛନ୍ତି ସବିତା।

ତାଙ୍କ ସାନ ଭାଇ ଅଭୟ ମହାନ୍ତି ନିଜ ସାଧ୍ୟମତେ ଭଉଣୀଙ୍କ ଦେଖାଶୁଣା କରୁଥିବା ଜଣାପଡ଼ିଛି। ତେବେ ସବିତାଙ୍କ ନିକଟରେ ଏଯାଏଁ ଆବଶ୍ୟକ ସରକାରୀ ସହାୟତା ପହଞ୍ଚିନଥିବା ଅଭିଯୋଗ ହୋଇଛି।

ସବିତାଙ୍କ ଆଉ ଏକ ବଡ଼ ସମସ୍ୟା ହେଉଛି ରାସନ ଚାଉଳ। ପ୍ରାୟ ୮ ବର୍ଷ ହେଲା ସେ ରାସନ ଚାଉଳ ପାଇନଥିବା କୁହାଯାଉଛି। ତାଙ୍କ ପାଖରେ ଭୋଟର କାର୍ଡ ଥିଲେ ମଧ୍ୟ ଆଧାର କାର୍ଡ ନଥିବା ଜଣାପଡ଼ିଛି। କୋଷ୍ଠ ରୋଗ ଯୋଗୁଁ ହାତ ଓ ଆଙ୍ଗୁଠିରେ ସମସ୍ୟା ଥିବାରୁ ଟିପଚିହ୍ନ ଦେବାରେ ଅସୁବିଧା ହେଉଛି। ଫଳରେ ଆଧାର ପଞ୍ଜୀକରଣ ହୋଇପାରୁନଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ଭୋଟ ଦେବାର ଅଧିକାର ଥିବା ସତ୍ତ୍ୱେ ମୌଳିକ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାର ଅଭିଯୋଗ ଏବେ ଅନେକ ପ୍ରଶ୍ନ ଉଠାଇଛି। ତାଙ୍କ ପାଇଁ ଆବାସ, ରାସନ ଓ ଅନ୍ୟାନ୍ୟ ଯୋଗ୍ୟ ସରକାରୀ ସୁବିଧା କେବେ ପହଞ୍ଚିବ, ତାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି।

ସ୍ଥାନୀୟ ପ୍ରଶାସନ ସବିତାଙ୍କ ପରିସ୍ଥିତିର ଯାଞ୍ଚ କରି ତାଙ୍କ ଯୋଗ୍ୟତା ଅନୁଯାୟୀ ଆବାସ, ରାସନ ଓ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇଦେବାକୁ ଦାବି ହୋଇଛି। ଭଙ୍ଗା କେବିନରେ ଦୀର୍ଘଦିନ ଧରି ଜୀବନ କାଟୁଥିବା ସବିତାଙ୍କ ଅପେକ୍ଷା—କେବେ ପହଞ୍ଚିବ ସରକାରୀ ସହାୟତା?

Spread the love

Leave a Reply

Your email address will not be published. Required fields are marked *