ଚାରମାଳ (ଓଡ଼ିଶ୍ରୀ ସମ୍ବାଦ): ରେଢ଼ାଖୋଲ ବ୍ଲକ ଅଧୀନ ଚାରମାଳ ବଜାର ପ୍ରାଙ୍ଗଣରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ନିର୍ମିତ ସରକାରୀ ଶୌଚାଳୟ ଦୀର୍ଘଦିନ ହେବ ବନ୍ଦ ପଡ଼ିଛି। ଶୌଚାଳୟରେ ତାଲା ଝୁଲୁଥିବାରୁ ବଜାରକୁ ଆସୁଥିବା ବ୍ୟବସାୟୀ, ଗ୍ରାହକ ଓ ସାଧାରଣ ଲୋକ ଅସୁବିଧାରେ ପଡ଼ୁଛନ୍ତି।
ବଜାରକୁ ପ୍ରତିଦିନ ଶତାଧିକ ଲୋକ ଆସୁଥିବା ବେଳେ ବିଶେଷକରି ମହିଳା, ବୃଦ୍ଧବୃଦ୍ଧା ଓ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଶୌଚ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶୌଚାଳୟ ବନ୍ଦ ଥିବାରୁ ବଜାର ଆଖପାଖରେ ଖୋଲା ସ୍ଥାନ ବ୍ୟବହାର ହେଉଥିବାରୁ ପରିବେଶ ମଧ୍ୟ ପ୍ରଭାବିତ ହେଉଛି ବୋଲି ଅଭିଯୋଗ ହୋଇଛି।
ସରକାରୀ ଅର୍ଥରେ ନିର୍ମିତ ଶୌଚାଳୟ ଲୋକଙ୍କ କାମରେ ନଆସିବାକୁ ନେଇ ବ୍ୟବସାୟୀମାନେ ପ୍ରଶ୍ନ ଉଠାଇଛନ୍ତି। ଶୌଚାଳୟର ତାଲା ଖୋଲି ଏହାର ପରିଚ୍ଛନ୍ନତା, ପାଣି ଓ ଆବଶ୍ୟକ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରି ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବ୍ୟବସାୟୀ ସଂଘ ଓ ଜନସାଧାରଣ ଦାବି କରିଛନ୍ତି।
ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ବ୍ୟବସାୟୀ ସଂଘ ଚେତାବନୀ ଦେଇଛି। ତୁରନ୍ତ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ଦୃଷ୍ଟି ଦେଇ ଶୌଚାଳୟକୁ ସର୍ବସାଧାରଣଙ୍କ ବ୍ୟବହାର ଉପଯୋଗୀ କରିବାକୁ ଦାବି ହୋଇଛି।
