କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠ ପରିସରରେ କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଜିତେନ୍ଦ୍ର କୁମାର ଗିରିଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଘଟଗାଁ ବ୍ଲକର ୧୯ଟି ବିଦ୍ୟାଳୟରୁ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଅଖିଳ କୁମାର ପାତ୍ର ମୁଖ୍ୟଅତିଥି, ସତ୍ୟନାରାୟଣ ବିଦ୍ୟାପୀଠର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତାରାଣୀ ପଣ୍ଡା ମୁଖ୍ୟବକ୍ତା ଏବଂ ବରିଷ୍ଠ ସାମ୍ବାଦିକ ତଥା କବି ସଞ୍ଜୟ କୁମାର ସାହୁ, ବାଳିକା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭକ୍ତବନ୍ଧୁ ନାୟକ, ଟିକିରା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଅମିତ୍ କୁମାର ଦେହୁରୀ, କୃଷ୍ଣଚନ୍ଦ୍ର ବାରିକ ଓ ନୀଳମଣି ମଣ୍ଡଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ବରିଷ୍ଠ ଶିକ୍ଷକ ସଦାଶିବ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ନିମନ୍ତ୍ରିତ ଅତିଥିମାନେ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ପରିପ୍ରକାଶ ପାଇଁ ‘ସୁରଭି’ କାର୍ଯ୍ୟକ୍ରମ ଏକ ଉତ୍ତମ ମାଧ୍ୟମ ବୋଲି କହିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନେ ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ବକ୍ତୃତା, ଶିଳ୍ପକଳା ଓ ପ୍ରବନ୍ଧ ଲିଖନ ସମେତ ବିଭିନ୍ନ ବିଭାଗରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।
ମୁଖ୍ୟଅତିଥି ଅଖିଳ କୁମାର ପାତ୍ର ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିସହ ତାଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
