ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଦୀର୍ଘ ଦୁଇ ବର୍ଷ ହେଲା ଏହି ଅଞ୍ଚଳରେ ବଣୁଆ ହାତୀପଲଙ୍କ ଚଳପ୍ରଚଳ ଲାଗି ରହିଥିବା ବେଳେ ଏବେ ହାତୀପଲ ଗାଁମୁହାଁ ହୋଇ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଲାଗି ରହିଛି।
ସନ୍ଧ୍ୟା ହେଲେ ହାତୀପଲ ଗାଁ ନିକଟକୁ ଆସୁଥିବାରୁ ଲୋକେ ନିଜ ଛୋଟ ପିଲାଙ୍କୁ ଧରି ଘର ଛାତ ଉପରେ ରହି ପହରା ଦେଉଥିବା ଜଣାପଡ଼ିଛି। ହାତୀପଲଙ୍କ ଗତିବିଧି ଯୋଗୁଁ ଲୋକେ ରାତିରେ ଅନିଦ୍ରା ରହୁଥିବା ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ମୁରିବାହାଲ ବ୍ଲକ ମାଲିସିରା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାବାଞ୍ଜି ରେଞ୍ଜ ନିକଟସ୍ଥ ବେଳବାଞ୍ଜି ଜଙ୍ଗଲରୁ ପ୍ରାୟ ୧୫ଟି ହାତୀଙ୍କ ଏକ ପଲ ଆସି ଅଞ୍ଚଳରେ ପଶିଥିବା ଜଣାପଡ଼ିଛି। ପ୍ରଥମେ ବିଗୁନ ଧରୁଆଙ୍କ ମାଟି କୁଡ଼ିଆ ଘର ଭାଙ୍ଗିବା ପରେ ନିକଟସ୍ଥ ଧାନ କ୍ଷେତରେ ପଶି ଫସଲ ନଷ୍ଟ କରିଥିବା କୁହାଯାଇଛି।
ଏହାପରେ ଦେଶିଲ ଗ୍ରାମର ହରେକୃଷ୍ଣ ଗନିଆଁରଙ୍କ ଧାନ କ୍ଷେତରେ ପଶି ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସେହିପରି ମାଲିସିରା ଓ ଆମ୍ବପାଳି ଗ୍ରାମ ନିକଟରେ ଚାଷୀ ରଘୁମଣୀ ପୁଟେଲଙ୍କ କପା ଚାଷ ସହ ୨୦ରୁ ଅଧିକ କଦଳୀ ଗଛ ହାତୀପଲ ନଷ୍ଟ କରିଦେଇଥିବା ଜଣାପଡ଼ିଛି।
ଧାରକରଜ କରି ଚାଷ କରୁଥିବା ଚାଷୀଙ୍କ ଫସଲ ହାତୀପଲ ନଷ୍ଟ କରିଦେଇଥିବାରୁ ସେମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ତେଣୁ ବନ ବିଭାଗ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ପ୍ରଭାବିତ ଚାଷୀଙ୍କୁ ନିୟମାନୁସାରେ କ୍ଷତିପୂରଣ ଯୋଗାଇବାକୁ ଚାଷୀମାନେ ଦାବି କରିଛନ୍ତି।
ଏଥିସହ ହାତୀପଲଙ୍କ ଗତିବିଧି ଉପରେ ନଜର ରଖି ଗାଁ ଅଞ୍ଚଳରୁ ହାତୀଙ୍କୁ ଦୂରେଇବା ପାଇଁ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି।
