ଫିରିଙ୍ଗିଆ, (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର କ୍ରୀଡ଼ାବିତ୍ଙ୍କୁ ନେଇ ଜିଲ୍ଲାସ୍ତରୀୟ କ୍ରୀଡ଼ା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। ଜିଲ୍ଲାର ୧୨ଟି ବ୍ଲକରୁ ୬୦୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍ ଏଥିରେ ଯୋଗଦେଇଥିଲେ।
ତିନିଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହାକୁମ୍ଭରେ ୧୪ ଓ ୧୭ ବର୍ଷରୁ କମ୍ ବର୍ଗରେ ଫୁଟବଲ, ଦୌଡ଼କୁଦ, ସାଇକେଲିଂ ଓ ରଗବି ଫୁଟବଲ ଆଦି ପ୍ରତିଯୋଗିତା ହୋଇଥିଲା। ଫୁଟବଲରେ ୧୭ ବର୍ଷରୁ କମ୍ ବାଳକ ବିଭାଗରେ ଫୁଲବାଣୀ ବ୍ଲକ ଚମ୍ପିୟାନ ହୋଇଥିବା ବେଳେ ଅନ୍ୟ ବିଭାଗରେ ମଧ୍ୟ ବିଭିନ୍ନ ବ୍ଲକର କ୍ରୀଡ଼ାବିତ୍ମାନେ ସଫଳତା ହାସଲ କରିଥିଲେ।
ଦୌଡ଼କୁଦ ଓ ଅନ୍ୟାନ୍ୟ କ୍ରୀଡ଼ାରେ ଉତ୍କର୍ଷ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍ଙ୍କ ମଧ୍ୟରୁ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ରଗବି ଫୁଟବଲରେ ମଧ୍ୟ କୃତୀ କ୍ରୀଡ଼ାବିତ୍ମାନେ ରାଜ୍ୟସ୍ତରକୁ ମନୋନୀତ ହୋଇଥିବା ଜଣାପଡ଼ିଛି।
କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ, ଶାରୀରିକ ଶିକ୍ଷା ଅଧିକାରୀ, କ୍ରୀଡ଼ା ଶିକ୍ଷକ ଓ ବିଭିନ୍ନ ବ୍ଲକର ଶିକ୍ଷକମାନେ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନା କରିଥିଲେ। ପ୍ରାୟ ୭୫ ଜଣ କ୍ରୀଡ଼ା ଶିକ୍ଷକ ଓ ୧୨ ଜଣ ଶିକ୍ଷୟିତ୍ରୀ ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ।
ଶେଷ ଦିନରେ କୃତୀ କ୍ରୀଡ଼ାବିତ୍ମାନଙ୍କୁ ପୁରସ୍କାର ପ୍ରଦାନ ସହ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ପାଇଁ ଅଧିକାରୀ ଓ ଶିକ୍ଷକମାନେ ଶୁଭେଚ୍ଛା ଜଣାଇଥିଲେ।
