ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡ଼ମଧୁପୁର ପଞ୍ଚାୟତରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ଏକାଧିକ ଯୁବକ ଆହତ ହୋଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ପୂର୍ବତନ ବିଧାୟକଙ୍କ ସମର୍ଥକଙ୍କ ଟେକାମାଡ଼ରେ ବର୍ତ୍ତମାନ ବିଧାୟକ ହିମାଂଶୁ ଶେଖର ସାହୁଙ୍କ କିଛି ସମର୍ଥକ ଆହତ ହୋଇଛନ୍ତି। ଏନେଇ ବିଧାୟକଙ୍କ ସମର୍ଥକମାନଙ୍କ ପକ୍ଷରୁ ଜେନାପୁର ଥାନାରେ ଏତଲା ଦିଆଯାଇଛି।
ଘଟଣାରେ ଜଡ଼ିତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ଶତାଧିକ ମହିଳା ଓ ପୁରୁଷ ଜେନାପୁର ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ନକରାଯିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଧାରଣାକାରୀମାନେ କହିଛନ୍ତି।
ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ରହିଥିବା ବେଳେ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଓ ଆଇନଗତ ପଦକ୍ଷେପ ନେବା ନେଇ ସମସ୍ତଙ୍କ ନଜର ରହିଛି। ତେବେ ଘଟଣା ସମ୍ପର୍କରେ ଅନ୍ୟପକ୍ଷର ପ୍ରତିକ୍ରିୟା ମିଳିପାରିନାହିଁ।
