ମାଲକାନଗିରି, (ଓଡ଼ିଶ୍ରୀ ସମ୍ବାଦ): ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ଭାବେ ଡାକ୍ତର ମାନସ ରଞ୍ଜନ ପଣ୍ଡା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସିଡିଏମଓ ଡାକ୍ତର ଆବିଦ୍ ହୁସେନ୍ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଡିପିଏମ୍ ମୌସୁମୀ ମିଶ୍ରଙ୍କ ସମେତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ନୂତନ ସିଡିଏମଓଙ୍କୁ ସ୍ୱାଗତ ଜଣାଇଥିଲେ।
ଦାୟିତ୍ୱ ଗ୍ରହଣ ପୂର୍ବରୁ ଡାକ୍ତର ପଣ୍ଡା ବ୍ରହ୍ମପୁର ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ।
ଦାୟିତ୍ୱ ଗ୍ରହଣ ପରେ ଡାକ୍ତର ପଣ୍ଡା କହିଛନ୍ତି ଯେ, ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଲୋକଙ୍କୁ ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବା ତାଙ୍କର ପ୍ରାଥମିକତା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ସୁଦୃଢ଼ କରିବା ଏବଂ ସରକାରୀ ସ୍ୱାସ୍ଥ୍ୟ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ମିଳିମିଶି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।
