• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ୱ, ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ଛାତ୍ରଛାତ୍ରୀ

Byodishri Live

Oct 13, 2026

ରାଜକନିକା, (ଓଡ଼ିଶ୍ରୀ ସମ୍ବାଦ): ହେବାକୁ ଯାଉଥିବା ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍ସାହ ବଢ଼ିବାରେ ଲାଗିଛି। ଦୀର୍ଘ ବର୍ଷର ବ୍ୟବଧାନ ପରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ୍‌ ଯୋଗୁଁ ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। କନିକା ଓଲାଭର କଲେଜରେ ମଧ୍ୟ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନିଜ ସପକ୍ଷରେ ଭୋଟ୍‌ ହାସଲ କରିବା ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରଚାର ଜମୁଛି।

ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ କାହିଁକି ନିର୍ବାଚନ ଲଢ଼ୁଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କର ଲକ୍ଷ୍ୟ କ’ଣ, ସେ ସମ୍ପର୍କରେ ଭୋଟରଙ୍କୁ ସ୍ପଷ୍ଟ ଭାବେ ଜଣାଇବା ଆବଶ୍ୟକ। ପରୀକ୍ଷା ପୂର୍ବରୁ ଯେପରି ଛାତ୍ରଛାତ୍ରୀମାନେ ନିଜକୁ ପ୍ରସ୍ତୁତ କରନ୍ତି, ସେହିପରି ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ନିଜର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରସ୍ତୁତ ରହିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ତେବେ ନିର୍ବାଚନ ପ୍ରଚାର ସମୟରେ କିଛି ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଅରୁଚିକର ପୋଷ୍ଟ ଓ ମତାମତକୁ ନେଇ ସାମାନ୍ୟ ଉତ୍ତେଜନା ସୃଷ୍ଟି ହେଉଥିବା ଦେଖାଯାଉଛି। ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ସମୟରେ ପରସ୍ପର ପ୍ରତି ସମ୍ମାନ ଓ ସଂଯମ ରକ୍ଷା କରିବା ଜରୁରୀ। ଛାତ୍ରଛାତ୍ରୀମାନେ ଦେଶ ଓ ରାଜ୍ୟର ଭବିଷ୍ୟତ ହୋଇଥିବାରୁ ନିର୍ବାଚନ ପ୍ରଚାର ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ କରିବାକୁ ବହୁ ଛାତ୍ରନେତା ଓ ସ୍ଥାନୀୟ ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ, ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଉଛି। ଛାତ୍ରଛାତ୍ରୀଙ୍କ ସହ ଅଣଛାତ୍ର ଓ ଦଳୀୟ ନେତାଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯାଉଥିବା ସୂଚନା ମିଳିଛି।

ଏ ସମ୍ପର୍କରେ ଓଲାଭର ପଞ୍ଚାୟତର ସରପଞ୍ଚ ଶ୍ରୀ ନହୁଷ ନାୟକ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ ନିଜ ନେତୃତ୍ୱ ବିକଶିତ କରିବା ପାଇଁ ସୁଯୋଗ ଦିଆଯିବା ଉଚିତ। ଶିକ୍ଷାନୁଷ୍ଠାନର ନିର୍ବାଚନରେ କୌଣସି ରାଜନୈତିକ ବ୍ୟକ୍ତି ହସ୍ତକ୍ଷେପ ନକରିବା ସହ ନିର୍ବାଚନ ଶାନ୍ତି ଓ ସଦ୍‌ଭାବନାର ସହ ଅନୁଷ୍ଠିତ ହେବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *