• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମୁରିବାହାଲ ରେଞ୍ଜରେ ପୁଣି କୂଅରେ ପଡ଼ିଲା ମାଈ ହାତୀ, ସୁରକ୍ଷିତ ଉଦ୍ଧାର

Byodishri Live

Oct 13, 2026

ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗୀର ବନଖଣ୍ଡ ଅଧୀନ ମୁରିବାହାଲ ରେଞ୍ଜରେ ପୁଣି ଏକ ମାଈ ହାତୀ ଚାଷ କୂଅରେ ପଡ଼ିଯାଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ ବନ ବିଭାଗ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ମୁରିବାହାଲ ରେଞ୍ଜର ଯଇଁତରା ସେକ୍ସନ ଅନ୍ତର୍ଗତ ଚଳକୀ ଗ୍ରାମର ଚାଷୀ ନାଇଁ ପ୍ରଧାନୀଙ୍କ ଚାଷ ଜମିରେ ଥିବା ଏକ କୂଅରେ ଆଜି ସକାଳୁ ମାଈ ହାତୀଟି ପଡ଼ିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ମୁରିବାହାଲ ରେଞ୍ଜର ଡମ୍ବରୁଧର ପ୍ରଧାନଙ୍କ ନେତୃତ୍ୱରେ ଯଇଁତରା ଫରେଷ୍ଟର କୀର୍ତ୍ତିଚନ୍ଦ୍ର ସୁଆର, ଗୁଡ଼ିଘାଟ ଫରେଷ୍ଟର ଦିବସ ମାଝୀ, ଫରେଷ୍ଟ ଗାର୍ଡ ଆକାଶ ପ୍ରଧାନଙ୍କ ସମେତ ବନ ବିଭାଗର ଅନ୍ୟ କର୍ମଚାରୀ ଓ ମୁରିବାହାଲ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ବଲାଙ୍ଗୀର ଏସିଏଫ୍ ମୁରାରୀ ପ୍ରସାଦ ପଣ୍ଡାଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ କୂଅ ଭିତରୁ ବାହାରିବା ପାଇଁ ରାମ୍ପ୍ ତିଆରି କରାଯାଇଥିଲା। ଏହାପରେ ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଅସୁରକ୍ଷିତ କୂଅ ପାଲଟୁଛି ହାତୀଙ୍କ ପାଇଁ ବିପଦ

ମୁରିବାହାଲ ରେଞ୍ଜ ଅଞ୍ଚଳରେ ଗତ ଦୁଇ ବର୍ଷ ଧରି ବଣୁଆ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଗାଁ ମୁହାଁ ହେଉଥିବା ବେଳେ ବାରମ୍ବାର ଚାଷ କୂଅ ଓ ପରିତ୍ୟକ୍ତ କୂଅରେ ପଡ଼ିବା ଘଟଣା ଚିନ୍ତା ବଢ଼ାଇଛି। ଖୋଲା ଓ ଅସୁରକ୍ଷିତ କୂଅଗୁଡ଼ିକ ବନ୍ୟଜନ୍ତୁଙ୍କ ପାଇଁ ମରଣଯନ୍ତା ପାଲଟୁଥିବା ଅଭିଯୋଗ ହେଉଛି।

ଗତ ୧୪ ଅଗଷ୍ଟ ୨୦୨୬ରେ ବେଲପଡ଼ା ଥାନା ଅନ୍ତର୍ଗତ ସୁଲେକେଲା ପଞ୍ଚାୟତର ଚନ୍ଦ୍ରପୁର ଗ୍ରାମରେ ରାଜୀନ୍ଦ୍ର ପୁଟେଲଙ୍କ ବାଡ଼ି ପଛପଟେ ଥିବା ଏକ ଚାଷ କୂଅରେ ରାତି ପ୍ରାୟ ୧୧ଟାରୁ ୧୧ଟା ୩୦ ମଧ୍ୟରେ ଏକ ମାଆ ହାତୀ ଓ ତା’ର ଛୁଆ ପଡ଼ିଯାଇଥିଲେ। ଗ୍ରାମବାସୀଙ୍କ ସୂଚନା ପରେ ବନ ବିଭାଗ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିଥିଲେ।

ସେହିପରି, ୧୩ ନଭେମ୍ବର ୨୦୨୫ରେ ବିଜାମାଲ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଗୋଟିଏ ହାତୀ ଛୁଆକୁ ଉଦ୍ଧାର କରାଯାଇଥିଲା। ଏହାର ଦୁଇ ଦିନ ପରେ, ୧୫ ନଭେମ୍ବରରେ ଗୁଡ଼ିଘାଟ ପଞ୍ଚାୟତ ଅନ୍ତର୍ଗତ ଲତାସହଡ଼ା ସଂରକ୍ଷିତ ଜଙ୍ଗଲର ଏକ ପରିତ୍ୟକ୍ତ କୂଅରୁ ଆଉ ଗୋଟିଏ ବଣୁଆ ହାତୀକୁ ଉଦ୍ଧାର କରାଯାଇଥିଲା।

ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଅଞ୍ଚଳରେ ଥିବା ଖୋଲା, ପରିତ୍ୟକ୍ତ ଓ ଅସୁରକ୍ଷିତ କୂଅଗୁଡ଼ିକୁ ଚିହ୍ନଟ କରି ସୁରକ୍ଷିତ କରିବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ଓ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *