କେନ୍ଦୁଝର ଜିଲ୍ଲାର ପାଟଣା ଓ ସାହାରପଡା ବ୍ଲକର ପ୍ରିଣ୍ଟ, ସାଟେଲାଇଟ ଓ ଡିଜିଟାଲ ମିଡିଆରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ପାଟଣା ମିଡିଆ ହାଉସର ତୃତୀୟ ବୈଠକ ରବିବାର ଦିନ ଡିଆନାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଆଇନଜୀବୀ ତଥା ସାମ୍ବାଦିକ ରାହାସ ବିହାରୀ ପୃଷ୍ଟି ଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକକୁ ସଂଗଠନର ସମ୍ପାଦକ ତଥା ସମବାୟବିତ୍ ଦୀନବନ୍ଧୁ ମିଶ୍ର ପରିଚାଳନା କରିଥିଲେ। ବୈଠକରେ ବୀର କିଶୋର ଦାଶ, ଯତୀନ୍ଦ୍ର କୁମାର ଦାଶ, ଅଞ୍ଜନ କୁମାର ରଣା, ସୁଜିତ କୁମାର ଦାଶ, ଉମାକାନ୍ତ ମହାନ୍ତ, ଦୀପକ କୁମାର ଭଞ୍ଜ ଓ କୈଳାସ ଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ପାଟଣା ବ୍ଲକ ମୁଖ୍ୟାଳୟରେ ପାଟଣା ମିଡିଆ ହାଉସ ର କାର୍ଯ୍ୟାଳୟ ଉଦ୍ଘାଟନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ଗୁରୁତ୍ୱର ସହ ପ୍ରକାଶ କରିବା, ସାମ୍ବାଦିକତାରେ ସଚ୍ଚୋଟତା, ନିରପେକ୍ଷତା ଓ ନୈତିକତା ବଜାୟ ରଖି ଜନସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ନୂତନ ଭାବେ ପାଟଣା ମିଡିଆ ହାଉସରେ ଯୋଗଦେଇଥିବା ଶୁଶିଲ ଚନ୍ଦ୍ର ମହାନ୍ତ ଙ୍କୁ ସଂଗଠନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଏବଂ ସମ୍ବର୍ଦ୍ଧନା ଜଣାଯାଇଥିଲା। ଉପସ୍ଥିତ ସଦସ୍ୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂଗଠନର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବାରେ ତାଙ୍କ ସହଯୋଗ କାମନା କରିଥିଲେ। ଶେଷରେ ସଂଗଠନର ସାଂଗଠନିକ ଭିତ୍ତିକୁ ଆହୁରି ସୁଦୃଢ଼ କରିବା, ସାମ୍ବାଦିକମାନଙ୍କ ମଧ୍ୟରେ ଐକ୍ୟ ଓ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ସହ ଆଗାମୀ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା।କେନ୍ଦୁଝର ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ସୁଶୀଲ ମହାନ୍ତ ଙ୍କ ରିପୋର୍ଟ ଓଡ଼ିଶ୍ରୀ ମିଡ଼ିଆ
