• Wed. Sep 16th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

BJDରେ ବଡ଼ ପରିବର୍ତ୍ତନ! ନବୀନଙ୍କ ନୂଆ ‘ଟିମ୍’ରେ ଅରୁଣ-ଅତନୁ-ସଂଜୟ, ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା କି ମାଷ୍ଟର ପ୍ଲାନ୍?

Byodishri Live

Jul 31, 2026

ଭୁବନେଶ୍ୱର: ବିଜୁ ଜନତା ଦଳରେ ପୁଣି ଥରେ ବଦଳୁଛି କି ନେତୃତ୍ୱର ସମୀକରଣ? ଦଳର ବରିଷ୍ଠ ନେତା ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ସଂଜୟ ଦାସବର୍ମାଙ୍କୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଏହି ତିନି ନେତାଙ୍କ ସକ୍ରିୟ ଉପସ୍ଥିତି ଓ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱ ଦେବାର ଶୈଳୀକୁ ନେଇ ଅନେକ ପ୍ରଶ୍ନ ଉଠୁଛି।

ନିକଟରେ ଶଙ୍ଖ ଭବନରେ ସାର ସମସ୍ୟାକୁ ନେଇ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅରୁଣ-ଅତନୁ-ସଂଜୟ ଏକାଠି ନଜର ଆସିଥିଲେ। ଏହାପରେ ନବୀନ ନିବାସରେ ଅନୁଷ୍ଠିତ ସାଂଗଠନିକ ବୈଠକରେ ମଧ୍ୟ ଏହି ତିନି ନେତାଙ୍କୁ ଏକାଠି ବସାଯାଇଥିଲା। ଏହି ଘଟଣାକ୍ରମକୁ ନେଇ ଦଳ ଭିତରେ ନୂଆ ସାଂଗଠନିକ ସମୀକରଣର ସଙ୍କେତ ମିଳୁଥିବା ବୋଲି ଆଲୋଚନା ହେଉଛି।

ଏକ ସମୟରେ ବିଜେଡି ସରକାର ଓ ସଂଗଠନର ଅତ୍ୟନ୍ତ ପ୍ରଭାବଶାଳୀ ଚେହେରା ଥିଲେ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଏବଂ ସଂଜୟ ଦାସବର୍ମା। ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିବା ସହ ଦଳର ସାଂଗଠନିକ ନିଷ୍ପତ୍ତିରେ ମଧ୍ୟ ସେମାନଙ୍କର ଭୂମିକା ରହିଥିଲା। ବର୍ତ୍ତମାନ ବିଜେଡି ବିରୋଧୀ ଦଳରେ ଥିବା ପରିସ୍ଥିତିରେ ପୁଣି ସେମାନଙ୍କୁ ଆଗଧାଡ଼ିରେ ଦେଖିବାକୁ ମିଳୁଥିବାରୁ ନୂଆ ରଣନୀତିକୁ ନେଇ ଚର୍ଚ୍ଚା ବଢ଼ିଛି।

ରାଜନୈତିକ ମହଲର ଆଲୋଚନା ଅନୁଯାୟୀ, ବିଭିନ୍ନ ଜିଲ୍ଲାରେ ସଂଗଠନକୁ ପୁଣି ସୁଦୃଢ଼ କରିବା ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନବୀନ ପଟ୍ଟନାୟକ ଏହି ତିନି ନେତାଙ୍କୁ ଅଧିକ ଦାୟିତ୍ୱ ଦେଇପାରନ୍ତି। ଯଦିଓ ଏନେଇ ବିଜେଡି ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।

ତେବେ ପ୍ରଶ୍ନ ଉଠୁଛି—ଏହା କେବଳ ସାଧାରଣ ସାଂଗଠନିକ ସକ୍ରିୟତା, ନା ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ବଡ଼ ରଣନୀତିର ଆରମ୍ଭ? ଏହାର ଉତ୍ତର ଆଗାମୀ ଦିନରେ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *