ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ଧାମନଗର ବ୍ଲକ ଅନ୍ତର୍ଗତ ଗଢ଼ିଆଳି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସୂର୍ଯ୍ୟକାନ୍ତ ପଣ୍ଡୁଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଦାବି ହୋଇଛି। ଏନେଇ ଆଡ୍ଭୋକେଟ୍ ହେମନ୍ତ କୁମାର ନାୟକ ମୁଖ୍ୟମନ୍ତ୍ରୀ, ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି।
ଅଭିଯୋଗକାରୀଙ୍କ ଦାବି ଅନୁଯାୟୀ, ଶିକ୍ଷକ ସୂର୍ଯ୍ୟକାନ୍ତ ପଣ୍ଡୁଙ୍କ ବିରୋଧରେ ରହିଥିବା ଏକ ଅପରାଧିକ ମାମଲାରେ ଭଦ୍ରକସ୍ଥିତ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟ୍ କୋର୍ଟ ୪ ଅକ୍ଟୋବର ୨୦୦୮ରେ ଜି.ଆର୍. ମାମଲା ନମ୍ବର ୩୮୯/୨୦୦୪ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ଘଟଣାକୁ ନେଇ ୩ ଡିସେମ୍ବର ୨୦୦୮ରେ ତତ୍କାଳୀନ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିବା ହେମନ୍ତ କୁମାର ନାୟକ କହିଛନ୍ତି।
ତାଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଘଟଣାରେ ଆଶାନୁରୂପ ବିଭାଗୀୟ ଶୃଙ୍ଖଳାମୂଳକ ପଦକ୍ଷେପ ନିଆଯାଇନାହିଁ। ସମ୍ପୃକ୍ତ ଶିକ୍ଷକ ଏବେ ମଧ୍ୟ ଶିକ୍ଷକତା କରୁଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବ ସରକାରଙ୍କ ଅମଳରେ ତାଙ୍କୁ ବିଭାଗୀୟ ଦଣ୍ଡରୁ ରକ୍ଷା କରାଯାଇଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ମାମଲାର ସମସ୍ତ ଦିଗକୁ ଯାଞ୍ଚ କରି ଆଇନ ଓ ସରକାରୀ ନିୟମ ଅନୁଯାୟୀ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଆଡ୍ଭୋକେଟ୍ ହେମନ୍ତ କୁମାର ନାୟକ ଦାବି କରିଛନ୍ତି। ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ଉପଲବ୍ଧ ତଥ୍ୟ ଓ ଆଇନଗତ ସ୍ଥିତି ଆଧାରରେ ନିଷ୍ପତ୍ତି ନେବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏବେ ଏହି ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଉପରେ ନଜର ରହିଛି।
