ବୌଦ୍ଧ (ଓଡ଼ିଶ୍ରୀ ସମ୍ବାଦ): ବୌଦ୍ଧ ଥାନା ଅନ୍ତର୍ଗତ ସରସରା ରେଳ ଫାଟକ ନିକଟରେ ପୋଲିସ ଅଟକ ରଖିଥିବା ଏକ କଣ୍ଟେନରରୁ ୩୧୮ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ କଣ୍ଟେନର ଚାଳକ ଓ ହେଲପରଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ପୋଲିସ ସରସରା ରେଳ ଫାଟକ ନିକଟରେ ହରିଆଣା ନମ୍ବର ଥିବା ଏକ କଣ୍ଟେନରକୁ ଅଟକ ରଖିଥିଲା।
ପରେ ଆଜି ମାଜିଷ୍ଟ୍ରେଟ୍ ତଥା ହରଭଙ୍ଗା ଅତିରିକ୍ତ ତହସିଲଦାର ସନ୍ଦୀପ ଧଳଙ୍କ ଉପସ୍ଥିତିରେ କଣ୍ଟେନରର ତଲାସୀ କରାଯାଇଥିଲା। ତଲାସୀ ସମୟରେ କଣ୍ଟେନରରୁ ଗଞ୍ଜେଇ ମିଳିଥିବା ବେଳେ ଏହାର ଓଜନ ୩୧୮ କେଜି ଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି।
ଏହି ଘଟଣାରେ କଣ୍ଟେନର ଚାଳକ ଓ ହେଲପରଙ୍କୁ ପୋଲିସ ଗିରଫ କରି ବୌଦ୍ଧ ଥାନାରେ NDPS ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି। ଘଟଣାରେ ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
ଜବତ ସମୟରେ ମାଜିଷ୍ଟ୍ରେଟଙ୍କ ସହ ସବ୍-ଇନ୍ସପେକ୍ଟର ଯଶୋବନ୍ତ କହଁର, ସବ୍-ଇନ୍ସପେକ୍ଟର ବିଶ୍ୱାମିତ୍ର ଲୋଇ, ଏଏସଆଇ ମଦନ ମୋହନ ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
