ବରୀ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବରୀ ବ୍ଲକରେ ପଞ୍ଚାୟତ ସମିତିର ସାଧାରଣ ବୈଠକ ଦୀର୍ଘ ୧୪ ମାସ ଧରି ଅନୁଷ୍ଠିତ ହୋଇନଥିବା ଅଭିଯୋଗ ହୋଇଛି। ଫଳରେ ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଏବଂ ନୂତନ ଯୋଜନାର ବ୍ୟୟବରାଦ ପ୍ରକ୍ରିୟା ପ୍ରଭାବିତ ହେଉଥିବା ନେଇ ଚିନ୍ତା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ବରୀ ପଞ୍ଚାୟତ ସମିତିର ଶେଷ ସାଧାରଣ ବୈଠକ ଗତବର୍ଷ ଅଗଷ୍ଟ ୨୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହା ପରଠାରୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଆଉ ବୈଠକ ଡକାଯାଇନଥିବା ଅଭିଯୋଗ ହୋଇଛି। ନିୟମିତ ବୈଠକ ନହେବାରୁ ଲୋକପ୍ରତିନିଧିଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା ଓ ସମସ୍ୟାର ସମାଧାନ ହୋଇପାରୁନାହିଁ ବୋଲି କୁହାଯାଉଛି।
ଏହାର ପ୍ରଭାବ ବ୍ଲକ ଅଧୀନରେ ଥିବା ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟକାରିତା ଉପରେ ପଡ଼ୁଥିବା ଅଭିଯୋଗ ହୋଇଛି। କୃଷି, ସମନ୍ୱିତ ଶିଶୁ ବିକାଶ ଯୋଜନା, ସାମାଜିକ ସୁରକ୍ଷା, ଉଦ୍ୟାନ କୃଷି, ମତ୍ସ୍ୟ ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଯୋଜନା ଓ ସେବା ଠିକ୍ ଭାବେ ହିତାଧିକାରୀଙ୍କ ନିକଟରେ ପହଞ୍ଚୁନଥିବା ନେଇ ଅସନ୍ତୋଷ ଦେଖାଦେଇଛି। ନିୟମିତ ସମୀକ୍ଷା ଅଭାବରୁ କେତେକ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି।
ଅନ୍ୟପକ୍ଷରେ, ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ଅଧୀନରେ ବରୀ ବ୍ଲକ ପାଇଁ ବିଭିନ୍ନ ପ୍ରକଳ୍ପ ଅନୁମୋଦିତ ହେବା ସହ ଅର୍ଥ ମଞ୍ଜୁର ହୋଇଥିବା ସତ୍ତ୍ୱେ ସେଗୁଡ଼ିକର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି। ଏହା ଫଳରେ ଅଞ୍ଚଳର ବିକାଶମୂଳକ କାର୍ଯ୍ୟର ଗତି ମନ୍ଥର ହେବା ଆଶଙ୍କା ଦେଖାଦେଇଛି।
ଜନସ୍ୱାର୍ଥ ଓ ଅଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ତୁରନ୍ତ ପଞ୍ଚାୟତ ସମିତିର ସାଧାରଣ ବୈଠକ ଡାକିବା ସହ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
