କଟକ (ଓଡ଼ିଶ୍ରୀ ସମ୍ବାଦ): ଦୁର୍ନୀତି ନିବାରଣ ସପ୍ତାହ-୨୦୨୬ ପାଳନ ଅବସରରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ସଚ୍ଚୋଟତାର ଶପଥ ପାଠ କରାଯାଇଛି। ଭୁବନେଶ୍ୱରସ୍ଥିତ ଲୋକସେବା କନଭେନସନ୍ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇ କଟକ ଜିଲ୍ଲାର ଅଧିକାରୀ ଓ କର୍ମଚାରୀମାନେ ଶପଥ ଗ୍ରହଣ କରିଥିଲେ।
କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କମଲଜିତ ଦାସ, ଅତିରିକ୍ତ ଜିଲ୍ଲାପାଳ (ଉନ୍ନୟନ) ଡଃ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଆଠଗଡ଼ ଉପଜିଲ୍ଲାପାଳ ଅନିମେଷ ପ୍ରଧାନ, କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଏବଂ ବାଙ୍କୀ ଉପଜିଲ୍ଲାପାଳ ମୋନୋସ୍ୱିନୀ ଦାସଙ୍କ ସମେତ ବିଭିନ୍ନ ବିଭାଗର ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଶପଥ ପାଠରେ ସାମିଲ ହୋଇଥିଲେ।
ଚଳିତ ବର୍ଷ ଦୁର୍ନୀତି ନିବାରଣ ସପ୍ତାହର ମୁଖ୍ୟ ବିଷୟବସ୍ତୁ ରହିଛି “ସମୃଦ୍ଧିରୁ ସାଧୁତା”। ଏହି ବିଷୟବସ୍ତୁ ନୈତିକତା ଓ ସ୍ଥାୟୀ ସମୃଦ୍ଧି ମଧ୍ୟରେ ଥିବା ସମ୍ପର୍କକୁ ଗୁରୁତ୍ୱ ଦେଇଥାଏ। ବିଶେଷକରି ସରକାରୀ ଓ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ କରିବା ସମୟରେ ସାଧୁତା, ସଚ୍ଚୋଟତା ଓ ନୈତିକ ଆଚରଣ ବଜାୟ ରଖିବା ସହ ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ ଉପରେ ଏହି ଅଭିଯାନରେ ଗୁରୁତ୍ୱ ଦିଆଯାଇଛି।
ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ସହ ଦୁର୍ନୀତି ବିରୋଧରେ ସଚେତନତା ବୃଦ୍ଧି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
