କଟକ (ଓଡ଼ିଶ୍ରୀ ସମ୍ବାଦ): ପାରମ୍ପରିକ ଓଡ଼ିଆ ସଂସ୍କୃତି, କଳା ଓ ମନୋରଞ୍ଜନର ଅପୂର୍ବ ସମନ୍ୱୟରେ ମୁଖରିତ ହୋଇଉଠିଥିଲା କଟକର ମହାନଦୀବିହାର ଅଞ୍ଚଳ। ମହାନଦୀବିହାର ମହିଳା ସମିତି ପକ୍ଷରୁ ଅକ୍ଟୋବର ୨୫ ତାରିଖ ରବିବାର ଦିନ ‘କୁଆଁର ପୁନେଇଁ ଜହ୍ନ ଲୋ’ ଶୀର୍ଷକ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ମହିଳାମାନଙ୍କ ଉତ୍ସାହ, କଳାତ୍ମକ ପ୍ରତିଭା ଓ ଓଡ଼ିଆ ପରମ୍ପରା ପ୍ରତି ଆଗ୍ରହର ସୁନ୍ଦର ପ୍ରତିଫଳନ ଦେଖିବାକୁ ମିଳିଥିଲା।
ମହିଳା ସମିତିର ସଭାପତି ରୀନା ରାଣୀ ମିଶ୍ର ଓ ସମ୍ପାଦିକା ପ୍ରଣତି ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ସଫଳତାର ସହ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ବିଶ୍ୱାଳ, କର୍ପୋରେଟର ସୁବ୍ରତ ଘଡ଼େଇ, ଏମ୍ଡିଏ ସଭାପତି ସଞ୍ଜୟ ଜେନା ଓ ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମନୋରମ ନୃତ୍ୟ ପରିବେଷଣ। ସ୍ପାର୍କିଲ୍ ଗ୍ରୁପ୍ ଓ ନୃତ୍ୟାଙ୍ଗନା ଅନୁଷ୍ଠାନର କଳାକାରମାନେ ବିଭିନ୍ନ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ଏଥିସହ ମହିଳା ସମିତିର ସଭ୍ୟାମାନେ ମଧ୍ୟ ନିଜ ନିଜର ନୃତ୍ୟ ପ୍ରତିଭା ପ୍ରଦର୍ଶନ କରି କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲେ।
ଉତ୍ସବ ଶେଷରେ ସମିତିର ଉପସଭାପତି ମଧୁସ୍ମିତା ଷଡ଼ଙ୍ଗୀ ଉପସ୍ଥିତ ଅତିଥି, କଳାକାର ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆୟୋଜନରେ ନମିତା ଦାସ, ସ୍ନେହ ନନ୍ଦ, ସସ୍ମିତା ସାବତ, ସ୍ୱପ୍ନମୟୀ ସ୍ୱାଇଁ, ଅଳସ୍ୱାୟା ମହାନ୍ତି, ସୀମା କୁମାରୀ ଓ ରଶ୍ମି ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟାମାନେ ସହଯୋଗ କରିଥିଲେ।
ମହାନଦୀବିହାର ମହିଳା ସମିତିର ଏହି ସାଂସ୍କୃତିକ ଆୟୋଜନ ମହିଳାମାନଙ୍କ ଏକତା, ସୃଜନଶୀଳତା ଓ ଓଡ଼ିଆ ପରମ୍ପରା ପ୍ରତି ଆଗ୍ରହର ଏକ ସୁନ୍ଦର ଉଦାହରଣ ପାଲଟିଥିଲା। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପାରମ୍ପରିକ ସଂସ୍କୃତି ଓ କଳାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ସହ ସାମାଜିକ ଏକତାକୁ ସୁଦୃଢ଼ କରିବାର ପ୍ରୟାସ କରାଯାଇଛି।
