ଖଲ୍ଲିକୋଟ, : ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହର ଉତ୍ସବମୁଖର ହୋଇଉଠିଛି। ସହରର ବିଭିନ୍ନ ସାହି, ଛକ, ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନରେ ଆକର୍ଷଣୀୟ ଗଣେଶ ମେଢ଼ ସାଙ୍ଗକୁ ଚିତ୍ତାକର୍ଷକ ସାଜସଜ୍ଜା କରାଯାଇଥିଲା। ଗଣପତିଙ୍କ ଦର୍ଶନ ପାଇଁ ଦିନତମାମ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।
ଖଲ୍ଲିକୋଟ ସହରର ଚିଲି ସାହି, ରାଧାକୃଷ୍ଣ ମନ୍ଦିର ଅଞ୍ଚଳ, କରଣ ସାହି, କମାପଲ୍ଲୀ ଛକ, ଧରାକୋଟ ସାହି, ବଙ୍ଗଳା ସାହି, ଜଗନ୍ନାଥ ମନ୍ଦିର, ବଡ଼ଦାଣ୍ଡ ସାହି, ଖୋଲ ସାହି, ଗଉଡ଼ ସାହି, ଆର୍ଟ କଲେଜ ସମେତ ବିଭିନ୍ନ କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନରେ ମହାସମାରୋହରେ ଗଜାନନଙ୍କ ପୂଜାର୍ଚ୍ଚନା କରାଯାଇଥିଲା।
ପ୍ରତ୍ୟେକ ମେଢ଼ ନିକଟରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବଣ୍ଟନ ଓ ସେବନର ବ୍ୟବସ୍ଥା କରାଯାଇଥିଲା। ଭକ୍ତମାନେ ଗଣେଶଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଯୁବକମାନଙ୍କ ପକ୍ଷରୁ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।
ଅନ୍ୟପକ୍ଷରେ, ଉତ୍ସବ ମଧ୍ୟରେ ଖଲ୍ଲିକୋଟ ସହରର କେତେକ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ଅଭିଯୋଗ ହୋଇଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବାସଭବନକୁ ଯିବା ଗଳି, ମର୍ଦ୍ଦରାଜ ଶିଶୁ ଉଦ୍ୟାନ ରୋଡ୍, ‘I Love Khallikote’ ସ୍ଥାନ, ଚାରୁ ଓ କାରୁ କଳା ମହାବିଦ୍ୟାଳୟ ଫାଟକଠାରୁ କିଳେଶ୍ୱରୀ ଠାକୁରାଣୀ ପୀଠ ଏବଂ ପିତଳ ଗେଟ୍ ପ୍ରବେଶ ପଥ ଭଳି କେତେକ ସ୍ଥାନ ଅନ୍ଧକାରରେ ରହିଥିବା ଅଭିଯୋଗ ଆସିଛି।
ସେହିପରି ପାଣି ଟାଙ୍କି ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା। ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଖଲ୍ଲିକୋଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ନଜରଦାରୀ କରାଯାଇଥିଲା।
