• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପିଏମ୍‌ କିଷାନ୍‌ ଉତ୍ସବରେ ଚାଷୀଙ୍କୁ ମିଳିଲା ୨୪ତମ କିସ୍ତି, ଅବ୍ୟବସ୍ଥା ମଧ୍ୟରେ ବର୍ଷାରେ ଭିଜିଲେ ଚାଷୀ

Byodishri Live

Oct 30, 2026

ବସିବା ଓ ପାନୀୟଜଳ ବ୍ୟବସ୍ଥା ନଥିବା ଅଭିଯୋଗ, କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଚାଷୀ ଓ ସାମ୍ବାଦିକଙ୍କ ଅସନ୍ତୋଷ

ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ୍‌ ଖାତାକୁ ପ୍ରଦାନ କରାଯାଇଛି। ଏହି ଅବସରରେ ବଡ଼ଚଣା ବ୍ଲକ୍‌ କୃଷି ବିଜ୍ଞାନ କେନ୍ଦ୍ରଠାରେ ବ୍ଲକ୍‌ସ୍ତରୀୟ ପିଏମ୍‌ କିଷାନ୍‌ ଉତ୍ସବ ଦିବସ ଆୟୋଜିତ ହୋଇଥିଲା। ତେବେ କାର୍ଯ୍ୟକ୍ରମରେ ଚାଷୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବା ଏବଂ ସେମାନେ ବର୍ଷାରେ ଭିଜିଥିବା ଅଭିଯୋଗ ହୋଇଛି।

ଗୁଜରାଟର ବନାସକାଣ୍ଠାଠାରେ ଆୟୋଜିତ ଜାତୀୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଦେଶର ଚାଷୀଙ୍କୁ ୨୪ତମ କିସ୍ତି ପ୍ରଦାନ କରିଥିଲେ। ଏହି କ୍ରମରେ ଓଡ଼ିଶାର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ବ୍ୟାଙ୍କ୍‌ ଖାତାକୁ ମୋଟ ୭୦୭ କୋଟି ୮୫ ଲକ୍ଷ ୯୪ ହଜାର ଟଙ୍କା ପଠାଯାଇଥିବା ସୂଚନା ଦିଆଯାଇଛି। ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍‌ର ୧ ଲକ୍ଷ ୬୮ ହଜାର ୯୦୫ ଜଣ ଚାଷୀ ଏହି ଯୋଜନାରେ ଲାଭ ପାଇଥିବା ବେଳେ ବଡ଼ଚଣା ବ୍ଲକ୍‌ର ୨୦ ହଜାର ୪୦୧ ଜଣ ଚାଷୀଙ୍କ ଖାତାକୁ ଅର୍ଥରାଶି ପଠାଯାଇଛି।

ବଡ଼ଚଣା କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ୱାଇଁ, ସିଡିଏଓ ଭାସ୍କର ଚନ୍ଦ୍ର ଦାସ, ବରିଷ୍ଠ ବୈଜ୍ଞାନିକ ସୁନୀଲ କୁମାର ମହାପାତ୍ର, ଏଡିଓ ସରୋଜ କୁମାର ଗିରି, ଭବାନୀ ଶଙ୍କର ମିଶ୍ର, ରମାକାନ୍ତ ପରିଡ଼ା, ସାଂସଦଙ୍କ ପ୍ରତିନିଧି ରବୀନ୍ଦ୍ର କୁମାର ରାଉତ ଓ ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ସମେତ କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀମାନେ ଉପସ୍ଥିତ ଥିଲେ।

ତେବେ କାର୍ଯ୍ୟକ୍ରମର ପ୍ରଚାରପ୍ରସାର ଅଭାବରୁ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅଳ୍ପ ସଂଖ୍ୟକ ଚାଷୀ ଯୋଗ ଦେଇଥିବା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ ଉପସ୍ଥିତ ଥିଲେ, ସେମାନଙ୍କ ପାଇଁ ବସିବା କିମ୍ବା ପାନୀୟଜଳର ବ୍ୟବସ୍ଥା ନଥିବା ଅଭିଯୋଗ ଉଠିଛି। ଏପରିକି ବର୍ଷାରେ ଚାଷୀମାନେ ଭିଜିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଅଣଦେଖା କରାଯାଇଥିବା କୁହାଯାଇଛି।

ଏହି ଅବ୍ୟବସ୍ଥାକୁ ନେଇ ଉପସ୍ଥିତ ଚାଷୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି। ଚାଷୀଙ୍କୁ ସମ୍ମାନ ଓ ସୁବିଧା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଉତ୍ସବରେ ଏଭଳି ଅବ୍ୟବସ୍ଥା କାହିଁକି ଦେଖାଦେଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।

Spread the love

Leave a Reply

Your email address will not be published. Required fields are marked *