‘ସୁରକ୍ଷିତ ଶୈଶବ ଅଭିଯାନ’ ଅଧୀନରେ ବିଭିନ୍ନ ବିଦ୍ୟାଳୟରେ ପୋକ୍ସୋ ଆଇନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ
ନୂଆପଡ଼ା (ଓଡ଼ିଶ୍ରୀ ସମ୍ବାଦ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ସହ ଖଡ଼ିଆଳ, ବୋଡ଼େନ ଓ ସିନାପାଲି ତାଲୁକ ଆଇନ ସେବା ସମିତିର ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ‘ସୁରକ୍ଷିତ ଶୈଶବ ଅଭିଯାନ’ ଅଧୀନରେ ଆଇନ ସଚେତନତା ଶିବିର ଆୟୋଜିତ ହୋଇଛି। ଅକ୍ଟୋବର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଆଇନ, ୨୦୧୨ (ପୋକ୍ସୋ ଆଇନ) ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି।
ଅକ୍ଟୋବର ୩୦ ତାରିଖରେ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡ୍, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଟାନୱାଟ, ପିଏମ୍ ଶ୍ରୀ ସରକାରୀ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟ, ବୋଡ଼େନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖଡ଼ିଆଳ ଏବଂ ସିନାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।
ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡ୍ରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କାହ୍ନୁ କିସ୍କୁ ଯୋଗଦେଇଥିଲେ। ସେହିପରି ଟାନୱାଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବରିଷ୍ଠ ଦେୱାନୀ ବିଚାରପତି (ମହିଳା କୋର୍ଟ) ସରୋଜିନୀ ସାହୁ ଓ ପ୍ୟାନେଲ ଓକିଲ ପୁରୁଷୋତ୍ତମ ସୋନୀ, ପିଏମ୍ ଶ୍ରୀ ସରକାରୀ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟ, ବୋଡ଼େନରେ ଜେଏମ୍ଏଫ୍ସି ରାଜେଶ କୁମାର ଦାସ ଓ ପ୍ୟାନେଲ ଓକିଲ ଦଶରଥ ସାମନ୍ତ ଯୋଗଦେଇଥିଲେ।
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖଡ଼ିଆଳରେ ବରିଷ୍ଠ ଦେୱାନୀ ବିଚାରପତି ଈଶା ପତି ଓ ପ୍ୟାନେଲ ଓକିଲ ଜ୍ୟୋତିପ୍ରଭା ମେହେର ଏବଂ ସିନାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜେଏମ୍ଏଫ୍ସି ପ୍ରଜ୍ଞା ପରମିତା ମହାନ୍ତି ଓ ପ୍ୟାନେଲ ଓକିଲ ବାଣୀବଲ୍ଲଭ ପାଣିଗ୍ରାହୀ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଓ ଅଧିକାରମିତ୍ରମାନେ ଉପସ୍ଥିତ ଥିଲେ।
ଅକ୍ଟୋବର ୩୧ ତାରିଖରେ ନୂଆପଡ଼ାସ୍ଥିତ କେ.ଏନ୍. କିଡ୍ସ ପବ୍ଲିକ ସ୍କୁଲରେ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ବରିଷ୍ଠ ଦେୱାନୀ ବିଚାରପତି ଦୁର୍ବାସା ଦୁର୍ଗ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଏସ୍ଡିଜେଏମ୍ ସ୍ନାତକୀ ଦାଶ ଏବଂ ପ୍ରାଧିକରଣର ସମ୍ମୁଖ କାର୍ଯ୍ୟାଳୟର ପ୍ୟାନେଲ ଓକିଲ ସନ୍ଥରାମ ସାହୁ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତିମା ରାଜ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଧିକାରମିତ୍ରମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ବିଚାରପତିମାନେ ପୋକ୍ସୋ ଆଇନ, ୨୦୧୨ ଅଧୀନରେ ଥିବା ବିଭିନ୍ନ ଅପରାଧ ଓ ଦଣ୍ଡବିଧାନ, ଆଇନର ବିଭିନ୍ନ ଧାରା, ସୁରକ୍ଷିତ ସ୍ପର୍ଶ ଓ ଅସୁରକ୍ଷିତ ସ୍ପର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏଥିସହ ଶିଶୁମାନେ କେଉଁ ସତର୍କତାମୂଳକ ସଙ୍କେତ ପ୍ରତି ସଚେତନ ରହିବା ଆବଶ୍ୟକ, ସେନେଇ ମଧ୍ୟ ଆଲୋକପାତ କରାଯାଇଥିଲା।
ଏହାବ୍ୟତୀତ ଜିତାମିତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, କୋମନା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେରାପଦର, ବୋଡ଼େନ, ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ, ଖଡ଼ିଆଳ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଦୀ, ଖଡ଼ିଆଳଠାରେ ମଧ୍ୟ ସଚେତନତା ଶିବିର ଆୟୋଜିତ ହୋଇଥିଲା। କୋମନା ବିଦ୍ୟାଳୟରେ ଜେଏମ୍ଏଫ୍ସି ସମୃଦ୍ଧି ସାଗରିକା ବାରିକ ଓ ପ୍ୟାନେଲ ଓକିଲ ଲଲାଟେନ୍ଦୁ ନିଆଲ ଯୋଗଦେଇଥିଲେ। ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟରେ ଜେଏମ୍ଏଫ୍ସି ସମୀକ୍ଷା ସା ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଦୀରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପ୍ରଣାମ କୁମାର ରାଉତ ଓ ପ୍ୟାନେଲ ଓକିଲ ଆଲୋକ ତିୱାରୀ ଯୋଗଦେଇଥିଲେ। ସେମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପୋକ୍ସୋ ଆଇନ ସମ୍ପର୍କରେ ସଚେତନ କରିଥିଲେ।
ଏହି ସମସ୍ତ ବିଦ୍ୟାଳୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତିରେ ରାଷ୍ଟ୍ରୀୟ ଏକତା ଦିବସ ମଧ୍ୟ ପାଳନ କରାଯାଇଥିଲା। ଏଥିରେ ଉପସ୍ଥିତ ବକ୍ତାମାନେ ଜାତୀୟ ଏକତା, ଅଖଣ୍ଡତା ଓ ସଂହତିର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।
