ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ଶପଥ
ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରାଯାଇଛି। ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଥାନା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା ପାଇଁ ଶପଥ ନେଇଥିଲେ।
ଥାନା ଅଧିକାରୀ ବୁଲୁ ମୁଣ୍ଡାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇଥିଲା। ସଭାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତିଚାରଣ କରାଯିବା ସହ ଦେଶ ଗଠନ ଓ ଜାତୀୟ ଏକତା ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋଚନା ହୋଇଥିଲା।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ମଧ୍ୟରେ ଶାନ୍ତି, ସଦ୍ଭାବନା ଓ ସାମ୍ପ୍ରଦାୟିକ ସମ୍ପ୍ରୀତି ବଜାୟ ରଖିବା ଦିଗରେ ପୋଲିସ ସର୍ବଦା ସଙ୍କଳ୍ପବଦ୍ଧ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ହାଇସ୍କୁଲ ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ମୁରିବାହାଲ ଥାନାର ସମସ୍ତ ସବ୍-ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର, କନଷ୍ଟେବଳ ଓ ଗୃହରକ୍ଷୀ ଉପସ୍ଥିତ ଥିଲେ। ସେମାନେ ଦେଶର ସୁରକ୍ଷା ଓ ଜନସେବା ପ୍ରତି ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସଂକଳ୍ପ ନେଇଥିଲେ।
ଏହାପରେ ଗୁଜରାଟର ଏକତାନଗରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ସିଧା ପ୍ରସାରଣ ଦେଖାଯାଇଥିଲା।
