ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବନ୍ତଳା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ବଡ଼ଚଣା ବିଧାୟକ ଅମର ନାୟକ। ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଭୋଗ ମଣ୍ଡପ, କଲ୍ୟାଣ ମଣ୍ଡପ, ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ଗୃହ, ଜଗନ୍ନାଥ କୋଠଘର, ନୂଆ ପୋଖରୀ ରାସ୍ତା, ସ୍କୁଲ ଗୃହ, ତେଲିଗଡ଼-ବାରିମୂଳ ରାସ୍ତା, ଉବୁକା କୋଠଘର, ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ର, କଇଥି ପୋଖରୀ କୋଠଘର, ମମତା ଗୃହ ଓ କପାଷ୍ଟି କିରି କୋଠଘର ସମେତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ଏଥିସହ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରାଯାଇଥିଲା।
ଏହି ଅବସରରେ କପାଷ୍ଟି କିରିସ୍ଥିତ କପିଳେଶ୍ୱର ସଂସ୍କୃତ ବିଦ୍ୟାଳୟ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା। ପୂର୍ବତନ ସମିତି ସଭ୍ୟ ଲଲାଟେନ୍ଦୁ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଧାୟକ ଅମର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ବିଧାୟକ ନିଜ ଅଭିଭାଷଣରେ କହିଥିଲେ ଯେ, ଦୀର୍ଘଦିନ ଧରି ବଡ଼ଚଣା ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଅବହେଳା ହୋଇଥିବାରୁ ଅଞ୍ଚଳର ବିକାଶ ବାଧାପ୍ରାପ୍ତ ହୋଇଥିଲା। ବର୍ତ୍ତମାନ ବଡ଼ଚଣାର ଜୀବନରେଖା କୁହାଯାଉଥିବା ବନ୍ଦାଳ-ଏଣ୍ଡରପଦା ରାସ୍ତାର ସମ୍ପ୍ରସାରଣ, ଉବୁକା-କପାଷ୍ଟି କିରି ରେଳ ଓଭରବ୍ରିଜ୍ ସମେତ ୭ଟି ରେଳ ଓଭରବ୍ରିଜ୍ ନିର୍ମାଣ ଏବଂ ବୈରୀ ରେଳ ଷ୍ଟେସନର ଉନ୍ନତିକରଣ ଭଳି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଛି।
ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକ ପୂରଣ କରି ଏକ ଶାନ୍ତ, ସମୃଦ୍ଧ ଓ ବିକଶିତ ବଡ଼ଚଣା ଗଠନ କରିବାକୁ ସେ ପ୍ରତିବଦ୍ଧ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ବଡ଼ଚଣା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ, ନିରଞ୍ଜନ ସେନାପତି, ସରପଞ୍ଚ ସମୀର ରାଉତ, ପରମାନନ୍ଦ ମହାରଣା, ଅଶୋକ ନାୟକ, ହେମନ୍ତ କୁମାର ସ୍ୱାଇଁ, ମଣ୍ଡଳ ସଭାପତି ବିମଳ ସାମଲ ଓ ଭାବଗ୍ରାହୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପୂର୍ବତନ ସରପଞ୍ଚ ଦୀପକ କୁମାର ପ୍ରତାପ ଧନ୍ୟବାଦ ଅର୍ପଣ କରିଥିଲେ।
