ରାଜକନିକା, (ଓଡ଼ିଶ୍ରୀ ସମ୍ବାଦ): ରାଜକନିକା ଆଥଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଆର୍.ଏନ୍. ହାଇସ୍କୁଲ୍ ମିନି ଷ୍ଟାଡିୟମ୍ରେ ୪୫ତମ ରାଜ୍ୟସ୍ତରୀୟ ରାଜକନିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ୍ରେ କିଶୋର କ୍ଲବ୍, ଭୁବନେଶ୍ୱର ଓ ୟୁନାଇଟେଡ୍ କ୍ଲବ୍, ଭଦ୍ରକ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଟାଇବ୍ରେକର୍ରେ ୩-୨ ଗୋଲ୍ରେ ବିଜୟୀ ହୋଇ କିଶୋର କ୍ଲବ୍ ପ୍ରଥମ ଦଳ ଭାବେ ସେମିଫାଇନାଲ୍ରେ ପ୍ରବେଶ କରିଛି।
ଅନୁଷ୍ଠାନର ଉପଦେଷ୍ଟା ସ୍ୱର୍ଗତ ପ୍ରଦ୍ୟୋତ କୁମାର ଦେଓଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ସମର୍ପିତ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପସଭାପତି ତଥା ଆଳି ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ଜିଲ୍ଲା କ୍ରୀଡ଼ା ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଯୋଗଦେଇଥିଲେ।
ସେହିପରି ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ବଂଶୀଧର ରାଉତ, ବରିଷ୍ଠ ମେରୁଦଣ୍ଡ ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଜିତେନ୍ଦ୍ର ରାଉତ, ଶିଳ୍ପପତି ଇଂ. ପ୍ରମୋଦ ସିଂ, ଅବସରପ୍ରାପ୍ତ ରାଜ୍ୟ ମତ୍ସ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ପ୍ରତାପ ରଞ୍ଜନ ରାଉତ ଏବଂ ସମାଜସେବୀ ପ୍ରବୀର କୁମାର ଦେଓ ଉପସ୍ଥିତ ଥିଲେ।
ଏହି ଅବସରରେ ଆସୋସିଏସନ୍ର ସଭାପତି ତଥା ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ଉପସଭାପତି କପିଳେନ୍ଦ୍ର ମଲ୍ଲିକ ଓ ଇଂ. ପ୍ରଶାନ୍ତ ବିଶ୍ୱାଳ, କାର୍ଯ୍ୟକାରୀ ସମ୍ପାଦକ ଡ. ଫକୀର ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ ଏବଂ ମିଡିଆ ସେଲ୍ ସମ୍ପାଦକ ଅଜୟ କୁମାର ରାଉତଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ମ୍ୟାଚ୍ ପରିଚାଳନା ଦାୟିତ୍ୱରେ ଗଣେଶ୍ୱର ସିଂହ, ରାମଚନ୍ଦ୍ର ବେସ୍ରା, ସୁକାନ୍ତ ସିଂହ ଓ ମାନସ ବିଶ୍ୱାଳ ରହିଥିବା ବେଳେ ଗୋଲକ ବିହାରୀ ମଲ୍ଲିକ ମ୍ୟାଚ୍ କମିଶନର ଦାୟିତ୍ୱ ତୁଲାଇଥିଲେ। ଉଦ୍ଘାଟନୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ କିଶୋର କ୍ଲବ୍ର ଗୋଲକିପର୍ ସମ୍ବିତ ସ୍ୱାଇଁଙ୍କୁ ଯୁଧିଷ୍ଠିର ମଥାନ ସ୍ମାରକୀ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା।
ଶରତ ଜେନା, ଶରତ ମଲ୍ଲିକ, ବାସୁଦେବ ବେହେରା, ପର୍ଶୁରାମ ସାହୁ, ଅରୁଣ ବାରିକ, ପ୍ରକାଶ ସେନାପତି ଓ ସୁଶାନ୍ତ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆସୋସିଏସନ୍ର ସମ୍ପାଦକ ଅଜୟ କୁମାର ନାୟକଙ୍କ ସୂଚନା ଅନୁଯାୟୀ, ନଭେମ୍ବର ୨ ତାରିଖରେ ଓଡ଼ିଶା ଏଫ୍.ସି., ବାରିପଦା ଓ ମଙ୍ଗଳା କ୍ଲବ୍, କଟକ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।
