• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଅଷ୍ଟମ ବାରିପଦା ଜାତୀୟ ଆଦିବାସୀ କ୍ଷୁଦ୍ରଚଳଚ୍ଚିତ୍ର ମହୋତ୍ସବ-୨୦୨୭ ପାଇଁ ପ୍ରସ୍ତୁତି ବୈଠକ

Byodishri Live

Nov 2, 2026

ଫେବୃଆରୀ ୨୬ରୁ ୨୮ ଯାଏଁ ତିନିଦିନିଆ ମହୋତ୍ସବ; ଚଳଚ୍ଚିତ୍ର ସହ ଆଦିବାସୀ ଖାଦ୍ୟ ଓ ହସ୍ତଶିଳ୍ପ ମେଳା ଆୟୋଜନ ନିଷ୍ପତ୍ତି

ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ଆସନ୍ତା ୨୦୨୭ ଫେବୃଆରୀ ମାସରେ ଆୟୋଜିତ ହେବାକୁ ଥିବା ଅଷ୍ଟମ ବାରିପଦା ଜାତୀୟ ଆଦିବାସୀ କ୍ଷୁଦ୍ରଚଳଚ୍ଚିତ୍ର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ମୁର୍ଗାବାଡ଼ିସ୍ଥିତ ଟ୍ରାଇବାଲ ଥିଏଟର ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି।

ସାନ୍ତାଳୀ ଆର୍ଟ ଆଣ୍ଡ ଫିଲ୍ମ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ବୈଠକରେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଦୀପକ କୁମାର ବେଶ୍ରା ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଫାଉଣ୍ଡେସନର ସମ୍ପାଦକ ଅନ୍ତା ଆଲୋକ ବାସ୍କେ, ମିଡିଆ ସଂଯୋଜକ ତଥା ମହୋତ୍ସବର ପରାମର୍ଶଦାତା ସୋମନାଥ ସିଂହ, ସିଡିପିଓ ବିଟୁ ଟୁଡୁ, ସହକାରୀ ପ୍ରଫେସର ଡ. ଯତିନ ବେସ୍ରା ଏବଂ ତକତପୁର ଆଇଟିଆଇର ଅଧ୍ୟକ୍ଷ ଇଂ. କନ୍ଦନ ମାଝୀଙ୍କ ସମେତ କାର୍ଯ୍ୟକାରୀ ଦଳର ସଦସ୍ୟମାନେ ଯୋଗଦେଇଥିଲେ।

ବୈଠକରେ ସର୍ବସମ୍ମତିକ୍ରମେ ୨୦୨୭ ଫେବୃଆରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ମହୋତ୍ସବ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

ଏଥର ମହୋତ୍ସବରେ ଦେଶର ବିଭିନ୍ନ ଆଦିବାସୀ ସମୁଦାୟର ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ପାରମ୍ପରିକ ଆଦିବାସୀ ଖାଦ୍ୟ ମହୋତ୍ସବ ଓ ହସ୍ତଶିଳ୍ପ ମେଳା ମଧ୍ୟ ଆୟୋଜନ କରାଯିବ। ମୁଖ୍ୟ ଚଳଚ୍ଚିତ୍ର ମହୋତ୍ସବ ସହ ଏହି ଦୁଇଟି କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ ଚାଲିବ। ଏହାଦ୍ୱାରା ଆଦିବାସୀ ସମୁଦାୟର ସମୃଦ୍ଧ ଖାଦ୍ୟ ପରମ୍ପରା, ହସ୍ତଶିଳ୍ପ ଓ ସାଂସ୍କୃତିକ ପରିଚୟକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସ୍ଥାନୀୟ କାରିଗର ଓ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତକାରୀଙ୍କୁ ନିଜ କଳା ପ୍ରଦର୍ଶନର ସୁଯୋଗ ମିଳିବ।

ପ୍ରକାଶ ଥାଉକି, ସାନ୍ତାଳୀ ଆର୍ଟ ଆଣ୍ଡ ଫିଲ୍ମ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ୨୦୧୭ ମସିହାରୁ ପ୍ରତିବର୍ଷ ବାରିପଦାଠାରେ ଏହି ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରାଯାଇଆସୁଛି। ଆଦିବାସୀ ସମାଜର କାହାଣୀ, ଜୀବନଶୈଳୀ, ସଂସ୍କୃତି, ପରମ୍ପରା ଓ ସମସାମୟିକ ସମସ୍ୟାକୁ ଚଳଚ୍ଚିତ୍ର ମାଧ୍ୟମରେ ପ୍ରକାଶ କରିବା ସହ ଆଦିବାସୀ ଚଳଚ୍ଚିତ୍ର ନିର୍ମାତାଙ୍କୁ ଉତ୍ସାହିତ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଅଷ୍ଟମ ସଂସ୍କରଣକୁ ସଫଳ କରିବା ପାଇଁ ବୈଠକରେ ବିଭିନ୍ନ ପ୍ରସ୍ତୁତିମୂଳକ ଦିଗ ଉପରେ ଆଲୋଚନା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *