• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରତ୍ନଗିରିର ରତ୍ନ ହଜିଗଲା: ବରିଷ୍ଠ ନାଟ୍ୟକାର ଜୀବନ ଜେନାଙ୍କ ପରଲୋକ

Byodishri Live

Nov 3, 2026

୭୦ଟି ନାଟକର ରଚୟିତାଙ୍କ ବିୟୋଗରେ ବରୀ ଅଞ୍ଚଳରେ ଶୋକର ଛାୟା; ଯାତ୍ରା ଜଗତର ବହୁ ବ୍ୟକ୍ତିଙ୍କ ଶେଷ ଦର୍ଶନ

ବରୀ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ରତ୍ନଗିରି ପଞ୍ଚାୟତର ବରିଷ୍ଠ ନାଟ୍ୟକାର ଜୀବନ ଜେନା (୫୮)ଙ୍କ ପରଲୋକ ଘଟିଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ସମଗ୍ର ବରୀ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ନାଟ୍ୟକଳା ପ୍ରତି ଗଭୀର ଆଗ୍ରହ ରଖିଥିବା ସ୍ୱର୍ଗତ ଜେନା ପ୍ରାୟ ୭୦ଟି ନାଟକ ରଚନା କରି ନାଟ୍ୟ ଓ ଯାତ୍ରା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ନାଟକ ରଚନା ସହିତ ସେ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ। ତାଙ୍କ ରଚିତ ‘କନିଆଁ ସାଜିଛି କଣ୍ଢେଇ ରାଣୀ’, ‘ମୋ ପ୍ରେମ ତୋ ଭାଗ୍ୟରେ ନାହିଁ’ ଓ ‘ବିନା ଦୋଷରେ ମୁଁ ପାଉଛି ଫାଶୀ’ ଭଳି ନାଟକ ଯାତ୍ରା ଜଗତରେ ଆଦୃତ ହୋଇଥିଲା। ଏହି ନାଟକଗୁଡ଼ିକ ଦର୍ଶକଙ୍କ ମହଲରେ ପ୍ରଶଂସା ସାଉଁଟିଥିଲା।

ସୂଚନା ଅନୁଯାୟୀ, ସେ ଗତ ଚାରିଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ରବିବାର ଅପରାହ୍ନରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ସୋମବାର ତାଙ୍କ ନିଜ ଗ୍ରାମରେ ଶୋଭାଯାତ୍ରା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଶେଷ ଦର୍ଶନ ପାଇଁ ଯାତ୍ରା କଳାକାର, ଯାତ୍ରା ମାଲିକ ଓ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ତାଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ବରୀ ନିର୍ବାଚନମଣ୍ଡଳୀର ବିଜେପି ନେତା ଉମେଶ ଜେନା, କଂଗ୍ରେସ ନେତା ସନତ କୁମାର ଜେନା, ଦେବେନ୍ଦ୍ର ଦାସ, ବରୀ ଓକିଲ ସଂଘ ସଭାପତି ରାଜକିଶୋର ସାମଲ, ବରିଷ୍ଠ ସାମ୍ବାଦିକ ବାଞ୍ଛାନିଧି ସାହୁ, ବରିଷ୍ଠ ପାଲା ଗାୟକ ଦେବ ପ୍ରସାଦ ଶତପଥୀ ଓ ଗିରିଶ ସାମଲ ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ନାଟ୍ୟ ଓ ଯାତ୍ରା ଜଗତକୁ ତାଙ୍କର ଅବଦାନ ପାଇଁ ଜୀବନ ଜେନାଙ୍କୁ ଅଞ୍ଚଳବାସୀ ଦୀର୍ଘଦିନ ଧରି ମନେ ରଖିବେ।

Spread the love

Leave a Reply

Your email address will not be published. Required fields are marked *