• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଗୋଚର ଜମି ହସ୍ତାନ୍ତରକୁ ବିରୋଧ: ବେହେରେନସିଲେଟ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

Byodishri Live

Nov 3, 2026

କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟ ଆଗରେ ଶତାଧିକ ଲୋକଙ୍କ ପ୍ରତିବାଦ; ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବଲାଙ୍ଗୀର/କଣ୍ଟାବାଞ୍ଜି (ଓଡ଼ିଶ୍ରୀ ସମ୍ବାଦ): ଗୋଚର ଜମି ଅନ୍ୟ ଗାଁର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ବେହେରେନସିଲେଟ ଗ୍ରାମବାସୀ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତହସିଲ ଅନ୍ତର୍ଗତ ଏହି ଗାଁର ନାଏକପଡ଼ାରେ ଥିବା ସଂରକ୍ଷିତ ଗୋଚର ଜମିକୁ ନେଇ ଏବେ ବିବାଦ ଦେଖାଦେଇଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବେହେରେନସିଲେଟ ଗାଁରେ ୧୫୦୦ରୁ ଅଧିକ ଲୋକ ବସବାସ କରୁଥିବା ବେଳେ ପ୍ରାୟ ୭୦ ପ୍ରତିଶତ ପରିବାର ଚାଷ ଉପରେ ନିର୍ଭରଶୀଳ। ଅଧିକାଂଶ ପରିବାର ଗାଈଗୋରୁ ପାଳନ କରୁଥିବାରୁ ନାଏକପଡ଼ାରେ ଥିବା ଗୋଚର ଜମି ସେମାନଙ୍କ ପାଇଁ ଗୁରୁତ୍ୱ ବହନ କରୁଛି। ଏହି ଜମିରେ ଗାଁର ଗୋରୁ ଚରିବା ସହ ଏଠାରେ ଏକ ଖେଳପଡ଼ିଆ ମଧ୍ୟ ରହିଛି। ନିକଟରେ ଗାଁର ସାମୂହିକ ଶ୍ମଶାନ ଥିବାରୁ ଏହି ଜମି ସହ ଗ୍ରାମବାସୀଙ୍କ ସାମାଜିକ ଓ ପାରମ୍ପରିକ ସମ୍ପର୍କ ରହିଥିବା ସେମାନେ କହିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଅନ୍ୟ ଏକ ଗାଁରେ ଗୋଚର ଜମି ନଥିବା ଦର୍ଶାଇ ବେହେରେନସିଲେଟର ଏହି ଜମି ହସ୍ତାନ୍ତର ପାଇଁ ଚିହ୍ନଟ କରାଯାଉଛି। କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ତହସିଲ ପ୍ରଶାସନ ଗ୍ରାମବାସୀଙ୍କୁ ଅବଗତ ନକରାଇ ଗୁପ୍ତରେ ଜମି ଚିହ୍ନଟ ପ୍ରକ୍ରିୟା ଚଳାଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗ ଉପରେ ପ୍ରଶାସନର ପକ୍ଷ ଜଣାପଡ଼ିନାହିଁ।

ଏହି ଖବର ପ୍ରଚାର ହେବା ପରେ ମଙ୍ଗଳବାର ସକାଳେ ଶତାଧିକ ଗ୍ରାମବାସୀ ଏକଜୁଟ ହୋଇ କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ହାତରେ ପ୍ଲାକାର୍ଡ ଧରି ‘ଆମ ଗୋଚର ଜମି ଆମର, ଛାଡ଼ିବୁନି’ ନାରା ଦେଇ ସେମାନେ ପ୍ରତିବାଦ କରିଥିଲେ। ଏଥିସହ ତହସିଲଦାରଙ୍କୁ ଲିଖିତ ଦାବିପତ୍ର ଦେଇ ଗୋଚର ଜମି ହସ୍ତାନ୍ତର ପ୍ରକ୍ରିୟା ବନ୍ଦ କରିବାକୁ ଦାବି ଜଣାଇଥିଲେ।

ଗ୍ରାମବାସୀଙ୍କ ଚେତାବନୀ ଅନୁଯାୟୀ, ସେମାନଙ୍କ ଦାବିକୁ ଅଣଦେଖା କରାଗଲେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ, ରାସ୍ତାରୋକ ଓ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ। ଏହି ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜସ୍ୱ ସଚିବ, ସମ୍ବଲପୁର ଆରଡିସି, ବଲାଙ୍ଗୀର ଜିଲ୍ଲାପାଳ ଓ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ପଠାଯାଇଥିବା ଗ୍ରାମବାସୀ କହିଛନ୍ତି।

ଏବେ ଗୋଚର ଜମିର ପ୍ରକୃତ ସ୍ଥିତି, ଜମି ଚିହ୍ନଟ ପ୍ରକ୍ରିୟା ଓ ହସ୍ତାନ୍ତର ସମ୍ପର୍କିତ ଅଭିଯୋଗ ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ଗ୍ରାମବାସୀଙ୍କ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *