ମୃତ୍ତିକା ସ୍ୱାସ୍ଥ୍ୟ ଓ ସନ୍ତୁଳିତ ସାର ପ୍ରୟୋଗ ଉପରେ ଚାଷୀଙ୍କୁ ପରାମର୍ଶ; ୧୬୫ ଚାଷୀଙ୍କ ଯୋଗଦାନ
କଟକ, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ (ICAR-NRRI) ପକ୍ଷରୁ କଟକ ଜିଲ୍ଲାର ପାଇକାନ୍ ଗ୍ରାମରେ ଜାତୀୟ ‘କ୍ଷେତ ବଞ୍ଚାଅ ଅଭିଯାନ’ (ରବି-୨୦୨୬) ଅନ୍ତର୍ଗତ ଏକ ସଚେତନତା ଓ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏଥିରେ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟର ସୁରକ୍ଷା, ସନ୍ତୁଳିତ ସାର ପ୍ରୟୋଗ ଓ ଉନ୍ନତ ଚାଷ ପଦ୍ଧତି ସମ୍ପର୍କରେ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବରିଷ୍ଠ ବୈଜ୍ଞାନିକ ଡଃ ପ୍ରକାଶ ଚନ୍ଦ୍ର ଜେନା, ବରିଷ୍ଠ ବୈଷୟିକ ଅଧିକାରୀ ଇଂ. ଭୂପେନ୍ଦ୍ର, ବରିଷ୍ଠ କୃଷି ବିଜ୍ଞାନୀ ଡଃ ନିମାଇ ଚନ୍ଦ୍ର ମଲ୍ଲିକ, ତାପସ ବେହେରା ଏବଂ ପାଇକାନ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏସ୍.କେ. ବ୍ରୁନାନ୍ ଯୋଗଦେଇ ଚାଷୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ।
ଧାନ ଓ ଅନ୍ୟାନ୍ୟ ଫସଲରେ ଆବଶ୍ୟକତା ଅନୁସାରେ ସନ୍ତୁଳିତ ସାର ପ୍ରୟୋଗ କରି ମାଟିର ଉର୍ବରତା ଓ ସ୍ୱାସ୍ଥ୍ୟ କିପରି ବଜାୟ ରଖାଯାଇପାରିବ, ସେନେଇ ଆଲୋଚନା ହୋଇଥିଲା। ଏଥିସହ ମାଟି, ଜଳ ଓ ପରିବେଶର ସୁରକ୍ଷା ସହ ଫସଲ ଉତ୍ପାଦନ ବୃଦ୍ଧି, ଅତ୍ୟଧିକ ରାସାୟନିକ ସାର ପ୍ରୟୋଗର କୁପ୍ରଭାବ ଏବଂ ଜୈବିକ ଓ ପ୍ରାକୃତିକ ଚାଷ ପଦ୍ଧତିର ଉପକାରିତା ବିଷୟରେ ବୁଝାଯାଇଥିଲା।
ଚାଷୀଙ୍କୁ ଉନ୍ନତ କୃଷି ପ୍ରଯୁକ୍ତି ସହ ପରିଚିତ କରାଇବା ପାଇଁ ଏନ୍ଆର୍ଆର୍ଆଇ ପକ୍ଷରୁ ବିକଶିତ ମାଇକ୍ରୋବିଆଲ୍ କନ୍ସୋର୍ଟିଆ (ଅଣୁଜୀବ ସମ୍ମିଶ୍ରଣ), ଏନ୍ଆର୍ଆର୍ଆଇ ଟେକ୍ ଡି-କମ୍ପୋଜର୍, ତରଳ ଜୈବସାର, ପତ୍ର ରଙ୍ଗ ଚାର୍ଟ ଓ ବିଭିନ୍ନ ପ୍ରାକୃତିକ ଚାଷ ପ୍ରଣାଳୀ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ପ୍ରଯୁକ୍ତିର ଉପଯୋଗ ଦ୍ୱାରା ଚାଷ ଖର୍ଚ୍ଚ କମାଇବା ଓ କୃଷକଙ୍କ ଆୟ ବୃଦ୍ଧି ଦିଗରେ ଗୁରୁତ୍ୱ ଦିଆଯାଇଥିଲା।
ଅନୁସୂଚିତ ଜାତି ଉପଯୋଜନା (ଏସ୍.ସି.ଏସ୍.ପି.)ର ସଂଯୋଜକ ଅଶୋକ ମଲ୍ଲିକଙ୍କ ସହ ବୈରାଗୀ ମଲ୍ଲିକ, ମୋନାଲିସା ମଲ୍ଲିକ, କନକଲତା ମଲ୍ଲିକ, ରବି ଦାସ ଓ ବିଭୂତି ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରାୟ ୧୬୫ ଜଣ ଚାଷୀ ଯୋଗଦେଇ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
