୯ଟି ଶ୍ରେଣୀ ପାଇଁ ମାତ୍ର ୩ ଜଣ ଶିକ୍ଷକ; ବିଇଓଙ୍କ ୭ ଦିନ ମଧ୍ୟରେ ଶିକ୍ଷକ ଯୋଗାଇବା ପ୍ରତିଶ୍ରୁତି ପରେ ଖୋଲିଲା ତାଲା
ରେଢ଼ାଖୋଲ, (ଓଡ଼ିଶ୍ରୀ ସମ୍ବାଦ): ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ ତେଜିଛି। ଶିକ୍ଷକ ନିଯୁକ୍ତି ଦାବିରେ ରେଢ଼ାଖୋଲ ବ୍ଲକ୍ ବଡ଼ବାହାଳ ପଞ୍ଚାୟତ ଅନ୍ତର୍ଗତ ଟାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ ଗ୍ରାମବାସୀ ଓ ଅଭିଭାବକ।
ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୯ଟି ଶ୍ରେଣୀରେ ୮୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ହେଲେ ଏତେ ସଂଖ୍ୟକ ଶ୍ରେଣୀ ପରିଚାଳନା ପାଇଁ ମାତ୍ର ୩ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ଫଳରେ ପିଲାଙ୍କ ପାଠପଢ଼ା ବ୍ୟାହତ ହେଉଥିବା ସହ ସମସ୍ତ ଶ୍ରେଣୀରେ ନିୟମିତ ଶିକ୍ଷାଦାନ କରିବା କଷ୍ଟକର ହେଉଥିବା ସେମାନେ କହିଛନ୍ତି।
ଏନେଇ ପୂର୍ବରୁ ଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବାରୁ ଗ୍ରାମବାସୀ ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ସ୍ଥାୟୀ ଭାବେ ନୂତନ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ଗ୍ରାମବାସୀ ଜଣାଇଥିଲେ।
ଖବର ପାଇ ରେଢ଼ାଖୋଲ ବିଇଓ ରଞ୍ଜିତ ଭୋଇ ବିଦ୍ୟାଳୟରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ଜଣେ ନୂତନ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ବିଦ୍ୟାଳୟ ଗେଟ୍ରୁ ତାଲା ଖୋଲିଥିଲେ।
ତେବେ ବିଇଓଙ୍କ ପ୍ରତିଶ୍ରୁତି ଅନୁସାରେ ୭ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ହେଉଛି କି ନାହିଁ, ଏବେ ତାହା ଉପରେ ଅଭିଭାବକଙ୍କ ନଜର ରହିଛି।
