ଶ୍ରେଣୀଗୃହରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ଓ ପରିଚାଳନା ଉପରେ ଗୁରୁତ୍ୱ; ୪ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ
ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ଆଧୁନିକ ଶିକ୍ଷା ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଉପଯୋଗ ଓ ଏହାର ସଠିକ୍ ପରିଚାଳନା ସମ୍ପର୍କରେ ଶିକ୍ଷକମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଭଦ୍ରକସ୍ଥିତ ଲକ୍ଷ୍ମୀ ନାରାୟଣ ପବ୍ଲିକ ସ୍କୁଲ ପରିସରରେ ସିବିଏସ୍ଇ ପକ୍ଷରୁ ଏକ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଗତ ୩୧ ତାରିଖ ଶନିବାର ଅନୁଷ୍ଠିତ ଏହି ଶିବିରକୁ ବିଦ୍ୟାଳୟର ନିର୍ଦ୍ଦେଶକ ଡାକ୍ତର ଶରତ ଚନ୍ଦ୍ର ଦାସ ଉଦ୍ଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ରୟାଲ ପବ୍ଲିକ ସ୍କୁଲ ଏବଂ କଟକସ୍ଥିତ ଗୁରୁନାନକ ପବ୍ଲିକ ସ୍କୁଲର ଦୁଇଜଣ ବରିଷ୍ଠ ପ୍ରଶିକ୍ଷକ ଯୋଗଦେଇ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଆଧୁନିକ ଶିକ୍ଷାଦାନରେ କୃତ୍ରିମ ବୁଦ୍ଧିମତ୍ତାର ଗୁରୁତ୍ୱ, ଶ୍ରେଣୀଗୃହରେ ଏହାର ଆବଶ୍ୟକତା, ବ୍ୟବହାର ଏବଂ ସଠିକ୍ ପରିଚାଳନା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏଥିପାଇଁ ମୋଟ ଚାରୋଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଅଧିବେଶନ ଆୟୋଜନ ହୋଇଥିଲା।
ଏହି ତାଲିମ ଶିବିରରେ ଭଦ୍ରକ ଜିଲ୍ଲା ଓ ଆଖପାଖ ଅଞ୍ଚଳର ସିବିଏସ୍ଇ ଅନୁବନ୍ଧିତ ବିଦ୍ୟାଳୟଗୁଡ଼ିକର ୪୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାଗ ନେଇଥିଲେ। ଚଳିତ ବର୍ଷ ଏହିପରି ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନ୍ୟୂନ ଦୁଇଥର ଆୟୋଜିତ ହୋଇଥିବା ଜଣାପଡ଼ିଛି।
ପ୍ରଶିକ୍ଷଣ ଶିବିରକୁ କୋ-ଅର୍ଡିନେଟର ସୁରେଶ ଚନ୍ଦ୍ର ବିଶ୍ୱାଳ ସୁଚାରୁରୂପେ ପରିଚାଳନା କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ମହାପାତ୍ର ଉପସ୍ଥିତ ପ୍ରଶିକ୍ଷକ, ଅତିଥି ଓ ଅଂଶଗ୍ରହଣକାରୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହ ଶିକ୍ଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳରେ ଦକ୍ଷ କରିବା ଦିଗରେ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।
