କୃତି କଳାକାରଙ୍କୁ ସମ୍ବର୍ଦ୍ଧନା; ଶିଶୁ କଳାକାରଙ୍କୁ ପ୍ରମାଣପତ୍ର ପ୍ରଦାନ
ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚଳିତବର୍ଷ ଗଜଲକ୍ଷ୍ମୀ ପୂଜା ଅବସରରେ ଆୟୋଜିତ ‘ଫୁଲ ବଉଳବେଣୀ’ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। ପ୍ରକାଶ ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଯାପନୀ ସଭାରେ ବିଭିନ୍ନ ଅତିଥି ଯୋଗଦେଇ କଳା ଓ ସଂସ୍କୃତିର ସଂରକ୍ଷଣ ସହ ନୂତନ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ଉପରେ ମତ ରଖିଥିଲେ।
ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଦିଲୀପ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ କୃତି କଳାକାରଙ୍କ ପ୍ରତିଭା ପରିସ୍ଫୁଟିତ ହେବା ସହ ସେମାନଙ୍କୁ ଉପଯୁକ୍ତ ମଞ୍ଚ ମିଳିଥାଏ ବୋଲି କହିଥିଲେ।
ମୁଖ୍ୟବକ୍ତା ଭାବେ ଶ୍ୟାମ ସୁନ୍ଦର ବଣିକ ସଭାପତି ପ୍ରଦୀପ୍ତ କୁମାର ପୃଷ୍ଟି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଜଚିନ୍ଦ୍ର ନାଥ ପଣ୍ଡା ଓ ମାନସ ରଞ୍ଜନ ଦେଓ ଉପସ୍ଥିତ ଥିଲେ। ବାଲିଚନ୍ଦ୍ରପୁର ଅଞ୍ଚଳ କଳା ଓ ସଂସ୍କୃତିର ମାଟି ଏବଂ ଏଠାରୁ ଅନେକ କଳାକାର ସୃଷ୍ଟି ହୋଇ ବିଭିନ୍ନ ସ୍ଥାନରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ଖବରଦାତା ପ୍ରକାଶ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ନିର୍ମଳ ଚନ୍ଦ୍ର ରାଉତରାୟ, ଶ୍ୟାମ ସୁନ୍ଦର ବେହେରା, ବିନୋଦ ପ୍ରଧାନ ଓ ନିର୍ବାଚନ ମିଶ୍ରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଗଣେଶ ସାହୁ ମାନପତ୍ର ପାଠ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ସମସ୍ତ ଶିଶୁ କଳାକାରଙ୍କୁ ପ୍ରମାଣପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ରମେଶ ଚନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।
