• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଷଷ୍ଠ ଦିନରେ ଗିଡ଼ିପାବାଲି ଉଦ୍ଧାର କାର୍ଯ୍ୟ: ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର

Byodishri Live

Nov 6, 2026

ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଏବେ ବି ୬ ଜଣ ନିଖୋଜ; ଘଟଣାସ୍ଥଳରେ ଅନ୍ତିମ ସଂସ୍କାର

ଫୁଲବାଣୀ (ଓଡ଼ିଶ୍ରୀ ସମ୍ବାଦ): ଗିଡ଼ିପାବାଲି ଅଞ୍ଚଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ଷଷ୍ଠ ଦିନରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପଥର ଓ ମାଟି ତଳେ ଚାପି ହୋଇ ରହିଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହକୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି। ଏହା ପୂର୍ବରୁ ୨ ଜଣଙ୍କ ମୃତଦେହ ମିଳିଥିବାରୁ ମୋଟ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ତାଲିକାରେ ଥିବା ମୋଟ ୧୩ ଜଣଙ୍କ ମଧ୍ୟରୁ ଆଉ ୬ ଜଣ ନିଖୋଜ ଥିବା ସୂଚନା ମିଳିଛି।

ପରିବାରବର୍ଗଙ୍କ ଉପସ୍ଥିତିରେ ଉଦ୍ଧାର ହୋଇଥିବା ୫ଟି ମୃତଦେହ ଚିହ୍ନଟ କରାଯାଇଛି। ମୃତକମାନେ ହେଲେ ଭୂମିକା ପ୍ରଧାନ (ପ୍ରାୟ ୨୭ ବର୍ଷ), ବିଜୟ ପ୍ରଧାନ (ପ୍ରାୟ ୨୫ ବର୍ଷ), ବାଗ୍ରୀ ପ୍ରଧାନ (ପ୍ରାୟ ୧୪ ବର୍ଷ), ଅରୁଣା ପ୍ରଧାନ (ପ୍ରାୟ ୭ ବର୍ଷ) ଏବଂ ବିଜୟଲକ୍ଷ୍ମୀ ପ୍ରଧାନ (ପ୍ରାୟ ୬ ବର୍ଷ)।

ପରିବାରବର୍ଗଙ୍କ ଇଚ୍ଛା ଓ ଭାବନାକୁ ସମ୍ମାନ ଜଣାଇ ପ୍ରଶାସନର ସହଯୋଗରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ଦୁଃଖଦ ସମୟରେ ପ୍ରଶାସନ ପୀଡ଼ିତ ପରିବାରଙ୍କ ସହ ରହିଥିବା ସହ ନିୟମ ଅନୁଯାୟୀ ପୁନର୍ବାସ ଓ ଥଇଥାନ ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। କିଛି ପରିବାର ରାୟଗଡ଼ା ନିକଟରେ ଏବଂ ଅନ୍ୟ କିଛି ପରିବାର କନ୍ଧମାଳ ଜିଲ୍ଲାରେ ରହିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସେହି ଅନୁଯାୟୀ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।

ପାଗରେ ଉନ୍ନତି ଆସିବାରୁ ମାଟି ଧସିବା କମିଛି ଏବଂ ଉଦ୍ଧାର କାର୍ଯ୍ୟ ଅଧିକ ଗତିଶୀଳ ହୋଇଛି। ଘଟଣାସ୍ଥଳରେ ଓଡ୍ରାଫ୍‌, ଅଗ୍ନିଶମ ବାହିନୀ, ଡିଭିଆଇ ଓ ଏସ୍‌ସିୟୁ ଟିମ୍‌ ନିୟୋଜିତ ଅଛନ୍ତି। ପ୍ରାୟ ୧୦୦ରୁ ଅଧିକ କର୍ମଚାରୀଙ୍କ ସମେତ ମୋଟାମୋଟି ୨୦୦ରୁ ୨୫୦ ଜଣିଆ ଦଳ ଏହି ଉଦ୍ଧାର ଅଭିଯାନରେ ସାମିଲ ଅଛନ୍ତି।

ବିଶାଳ ପଥରଗୁଡ଼ିକୁ ହଟାଇବା ପାଇଁ ରେଳବାଇର ବ୍ଲାଷ୍ଟିଂ ଓ ମାଇନିଂ ଟିମ୍‌ ସହଯୋଗ କରିଥିଲେ। ସେମାନେ ଏବେ ଫେରିଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ପୁନର୍ବାର ଡକାଯିବ ବୋଲି କୁହାଯାଇଛି।

ଅବଶିଷ୍ଟ ୬ ଜଣ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଆଗାମୀ ଦିନରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିବ। ଏନେଇ କନ୍ଧମାଳ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *